ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ସତ୍ୟବତୀ ରାଠୋର । ଉଚ୍ଚସ୍ତରୀୟ ଅଧିକାରୀ ଦଳ ସହ 27 ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ସତ୍ୟବତୀ । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଜାରି ରହିଥିବା ସର୍ବୋତ୍କୃଷ୍ଟ ପଦକ୍ଷେପ ଗୁଡିକୁ ସେ ଅନୁଧ୍ୟାନ କରିବେ ।
ବିଶେଷ କରି ନାବେଟ - କ୍ୟୁସିଆଇ ସହଭାଗିତାରେ ଡିସେମ୍ବର 2019ରୁ କାର୍ଯ୍ୟକାରୀ କରାଯାଉଥିବା ମିଶନ ସୁବିଦ୍ୟା କାର୍ଯ୍ୟକ୍ରମକୁ ସେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ବିଭାଗ ଦ୍ଵାରା ପରିଚାଳିତ ଏସଏସଡି ଛାତ୍ରାବାସ ଗୁଡିକର ମୂଲ୍ୟାଙ୍କନ ଓ ବେଞ୍ଚମାର୍କ ସ୍ଥାପନ ଏହି ମିଶନ ସୁବିଦ୍ୟା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଛାତ୍ରାବାସ ଗୁଡିକର ପରିଚାଳନା ପଦ୍ଧତିର ମାନକ ନିର୍ଦ୍ଧାରଣ କରିବା ଓ ମୌଳିକ ସେବା ଗୁଡିକରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
ଆବାସିକ ଛାତ୍ରାବାସ ଗୁଡିକର ସଂଚାଳନ ବ୍ୟବସ୍ଥା ଓ ପରିଚାଳନା, ସ୍ବାସ୍ଥ୍ୟ ଓ ପୁଷ୍ଟି, ସୁରକ୍ଷା, ମାନବସମ୍ବଳ, ମୌଳିକ ସେବା ଓ ମନୋରଞ୍ଜନ ଏବଂ ଗୁଣାତ୍ମକ ସୁବିଧାସୁଯୋଗର ବ୍ୟବସ୍ଥା ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ସେ ବୁଲି ଦେଖିବେ । ପ୍ରତ୍ୟେକ ଛାତ୍ରାବାସକୁ ପ୍ରଦତ୍ତ ସୁବିଧା ସୁଯୋଗ ଆଧାରରେ ଫାଇନାଲ ଗ୍ରେଡ ପ୍ରଦାନ ବ୍ୟବସ୍ଥା ଓ ଆଇଏସଓ – ୯୦୦୧ ୨୦୧୫ ସାର୍ଟିଫିକେଟ ପାଇବା ପାଇଁ ଏସବୁ ହଷ୍ଟେଲ ଗୁଡିକୁ ପ୍ରସ୍ତୁତ କରିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ମଧ୍ୟ ତେଲେଙ୍ଗାନା ଦଳର ଉଦ୍ଦେଶ୍ୟ ।
ବହୁଭାଷୀ ଶିକ୍ଷା ପଦ୍ଧତି ‘ସଂହତି’ ଦ୍ଵାରା ଜନଜାତି ବିଦ୍ୟାର୍ଥୀମାନଙ୍କର ଭାଷା ଅସୁବିଧାକୁ ଦୂର କରାଯାଇଥିବା ପରିପ୍ରେକ୍ଷୀରେ ତେଲେଙ୍ଗାନା ମନ୍ତ୍ରୀ ସତ୍ୟବତୀ ରାଠୋର ଏହି ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବେ । ପ୍ରାୟ ୧୪୦୭ ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ଦେଢଲକ୍ଷ ଛାତ୍ରଛାତ୍ରୀଙ୍କୁ ମାତୃଭାଷା ସହ ବହୁଭାଷୀ ଶିକ୍ଷା ପଦ୍ଧତି ଫଳପ୍ରଦ ଶିକ୍ଷାଦାନରେ ସହାୟକ ହୋଇପାରିଛି । ତେଲେଙ୍ଗାନାରୁ ପରିଦର୍ଶନରେ ଆସୁଥିବା ମନ୍ତ୍ରୀ ଓ ଅଧିକାରୀ ଦଳ ଆଦିମ ଜନଜାତି ଅଞ୍ଚଳ ଗୁଡିକରେ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବେ । ଏହା ସହ ଜନଜାତିମାନଙ୍କ ଜୀବନଜୀବିକାର ଉନ୍ନତିକଳ୍ପେ ସାମୂହିକ ଭାବେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକୁ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଦଳ ଓଡିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ