ଭୁବନେଶ୍ବର: ବାଣବିକ୍ରି ଓ ଦୀପାବଳିରେ ବାଣଫୁଟା ନେଇ ଆଜି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଥିଲେ । ହେଲେ ଆଜି ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ନୂଆ ନିୟମ ଅନୁସାରେ ଦୀପାବଳୀରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି ।
କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି କୋର୍ଟ । ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପିଇଏସଓ (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତିପ୍ରାପ୍ତ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି ।
ଗ୍ରୀନ କ୍ରାକର ବା ସବୁଜ ବାଣ ଛଡା ଅନ୍ୟପ୍ରକାର ବାଣ ବିକ୍ରି ଓ ଫୁଟାଇବାକୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତୀୟ ବିସ୍ଫୋରକ ଆଇନ ଅଧିନରେ ଉପଯୁକ୍ତ ଅଧିକାରୀଙ୍କଠାରୁ ଅନୁମତିପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ହିଁ ବାଣ ଦୋକାନ ଖୋଲିପାରିବେ । ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ଦୋକାନ ଖୋଲାଯାଇପାରିବ । ସେଠାରେ କୋଭିଡ୍ କଟକଣା ପାଳନ କରାଯିବ ବୋଲି ଏସଆରସି ଗାଇଡଲାଇନ ଜାରି କରିଛନ୍ତି । ଯଦି କେହି ଏଥିରେ ଖିଲାପ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ