ଭୁବନେଶ୍ବର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଜେପି ରାଜ୍ୟ ପଦାଧିକାରୀମାନଙ୍କ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଶ୍ରମିକ ସମସ୍ୟା, ବିଭିନ୍ନ ଦୁର୍ନୀତି, ସାଂପ୍ରତିକ ବନ୍ୟା ପରିସ୍ଥିତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଆଦି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଛି ।
ଆଗାମୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସୃତ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଆସନ୍ତା ସେପ୍ଟେମ୍ବର ୫ ତାରିଖ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାର ନିଷ୍ପତି ଗ୍ରହଣ କରାଯାଇଛି । କୋଭିଡ-୧୯ କଟକଣା ଓ ନିୟମକୁ ପାଳନ କରାଯାଇ ଭର୍ଚ୍ଚୁଆଲ ମିଟିଂ ମାଧ୍ୟମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଯୋଗ ଦେବେ । ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୈାଦାନ ସିଂ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ଓ ସାଂସଦ ସୁରେଶ ପୁଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେବେ । ଏହି ବୈଠକ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ