ଭୁବନେଶ୍ବର: ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫିନିକ୍ସ ସେବା ତରଫରୁ ଏହି ମହାମାରୀ ସମୟରେ ଲକଡାଉନ ଯୋଗୁ ଜୀବନ ଜୀବିକାରେ ଅସୁବିଧା ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କୁ ରାସନ ପ୍ରଦାନ କାର୍ଯ୍ୟ ଜାରି ରହିଛି ।
କୋରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାର ଏପ୍ରିଲ 5 ରୁ ଲକଡାଉନ୍ ଘୋଷାଣ କରିଛନ୍ତି । ଲକଡାଉନ୍ ଯୋଗୁ ଟ୍ରେନ୍ ଚଳାଚଳରେ ବ୍ୟାହତ ଯୋଗୁ ଷ୍ଟେସନରେ ଯାତ୍ରୀ ସହାୟକ ରୂପେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଆଜି(ଶୁକ୍ରବାର) ଅନୁଷ୍ଠାନ ତରଫରୁ 50 ରୁ ଉର୍ଦ୍ଧ୍ବ ଯାତ୍ରୀ ସହାୟକଙ୍କୁ ଗୋଟେ ମାସର ରାସନ ଚାଉଳ, ଡାଲି, ଅଟା, ଚୁଡ଼ା, ଚିନି, ତେଲ ପ୍ରଭୃତି ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ମଲ୍ଲିକ ଅୱେସଙ୍କ ପରିଚାଳନାରେ ଭୁବନେଶ୍ବର ଷ୍ଟେସନ ନିକଟରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଷ୍ଟେସନ ଡିରେକ୍ଟର ଚିତ୍ତରଞ୍ଜନ ନାୟକ ଯୋଗ ଦେଇ ରାସନ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିନୋଦ କୁମାର ପଲେଇ, ସୁଧାଂଶୁ ସାହୁ, ରାକେଶ ପରିଡା , ବିଶ୍ୱଜିତ୍ ଶୱ , ପ୍ରଭାତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନ ତରଫରୁ ଅସହାୟଙ୍କୁ ରାସନ ପ୍ରଦାନ ସହ ଲକଡାଉନ୍ ପ୍ରାରମ୍ଭରୁ ପ୍ରତିଦିନ ଭୁବନେଶ୍ଵରର ଅନେକ ଜାଗାରେ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବଣ୍ଟନ ମଧ୍ୟ ଜାରି ରହିଛି । ଆଗକୁ ଏହି ମହତ କାର୍ଯ୍ୟ ଜାରି ରହିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅୱେସ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ