ଭୁବନେଶ୍ବର: ଆପଣ ବାଇକ ଚଢୁଛନ୍ତି କି ? ଗାଡି ଚଳେଇବା ପୂର୍ବରୁ ଭଲ ଭାବେ ଦେଖି ନେବା ଉଚିତ । ଇଞ୍ଜିନ ଭିତରେ ସାପ ଲୁଚି ରହିଯାଇ ନାହିଁ ତ ! ନହେଲେ ଆପଣ ଚଳନ୍ତା ଗାଡ଼ିରେ ସାପ ଦଂଶନର ଶିକାର ହୋଇପାରନ୍ତି । ଏମିତି କି ଆପଣଙ୍କ ଜୀବନ ବି ଯିବାର ସମ୍ଭାବନା ରହିଛି । ଏଭଳି କିଛି ଚିତ୍ର ସାମ୍ନାକୁ ଆସୁଛି କେନ୍ଦ୍ରାପଡା ଜିଲ୍ଲାରୁ ।
ବାଇକ ଇଞ୍ଜିନ ଭିତରେ ଲୁଚି ରହିଥିବା ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ । କେନ୍ଦ୍ରାପଡା ଗରଦପୁର ବ୍ଲକ ମଧୁ ଶାସନ ଗାଁର ହରିହର ପୃଷ୍ଟି ନିଜ ଇଟାଭାଟି କାମରେ ବାଇକ ନେଇ ଯାଇଥିଲେ । ସାଇଟରୁ କିଛି ଦୂରରେ ତାଙ୍କ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲ ରଖିଥିଲେ । ତେବେ ବାଇକର ସିଟ ତଳେ ଇଞ୍ଜିନ ଭିତରେ ଏକ 4 ଫୁଟ ଲମ୍ବର ନାଗ ସାପ ପଶି ଯାଇଥିଲା । ବହୁ ଚେଷ୍ଟା ପରେ ସାପ ନବହାରିବାରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସଙ୍କୁ ଯୋଗାଯୋଗ କରିଥିଲେ ହରିହର । ଦୀର୍ଘ ଏକ ଘଣ୍ଟା ପରିଶ୍ରମ କରି ବାଇକ ଭିତରୁ ସାପକୁ ଉଦ୍ଧାର କରିଥିଲେ ନଳିନୀ । ସାପକୁ ଗାଁ ଠୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ