ଭୁବନେଶ୍ବର: ମରଣଯନ୍ତା ପାଲଟିଛି ସ୍ମାର୍ଟସିଟିର ମୁକୁଳା ଡ୍ରେନ । ରାଜଧାନୀ ଭୁବନେଶ୍ବରର ଡ୍ରେନେଜ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ସ୍ମାର୍ଟସିଟି ବାସିନ୍ଦାଙ୍କୁ ଦ୍ବନ୍ଦରେ ପକାଇଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏନେଇ ବିଏମସି(BMC) କେତେଦୂର କାର୍ଯ୍ୟକାରୀ କରିଛି ? ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ ମୁକୁଳା ଡ୍ରେନରେ ପଡି ଚାଲି ଯାଉଛି ହେଲେ ବିଏମସିର ଖାତିର ନାହିଁ । ଆଉ ଏହି ଘଟଣାରେ ନିଘୋଡ ନିଦରେ ଶୋଇଛି ବିଏମସି ।
ସୂଚନାନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି କି କୌଣସି ପରିସ୍ଥିତିରେ ଡ୍ରେନ ମୁକୁଳା ରହିବ ନାହିଁ । ହେଲେ ରାଜଧାନୀରେ ମୁକୁଳା ଡ୍ରେନେଜ ବ୍ୟବସ୍ଥା ଏହି ନିୟମକୁ ଖୋଲାଖୋଲି କରିଛି ଉଲଙ୍ଘନ । ଯାହା ଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଝଡିପଡୁଛି । ଡ୍ରେନରେ ଭାସି ଦଶମ ଶ୍ରେଶୀର ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ୍ୟୁକୁ ନେଇ ବିଜେପି ବିଏମସି କମିଶନରଙ୍କ ନାମରେ ଏତଲା ଦେବା ସହ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିବା ବେଳେ ଏହି ଘଟଣାରେ କଂଗ୍ରେସ ପକ୍ଷରୁ ବିଏମସି କମିଶନରଙ୍କ ବିରୋଧରେ ଡିସିପିଙ୍କୁ ଫେରାଦ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ