ଭୁବନେଶ୍ବର: ଚାକିରୀ ଦେବା ଆଳରେ କୋଟିଏ ଟଙ୍କାର ଠକେଇ। ଦୁଇ ହାଇପ୍ରୋଫାଇଲ ଠକଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି ହୋଇଛି। EOW ଅନୁରୋଧ କ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଲୁକ ଆଉଟ ସର୍କୁଲାର ଜାରି କରିଛି। କିନି ଇନଫୋଟେକ କମ୍ପାନୀ ଖୋଲି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଗଞ୍ଜାମର ଭିକୁ ବିଶୋଇ ଓ ଚେନ୍ନାଇର ମନିକନ୍ଦନ ଦୁହେଁ ମିଶି କିନି ଇନଫୋଟେକ ଭଳି ଅନେକ ଜାଲି କମ୍ପାନୀ ଖୋଲି ଘରେ ବସି କାମ କରିବା ଭଳି ଚାକିରି ଦେବା ସୁଯୋଗର ଲୋଭନୀୟ ଅଫର ଦେଇଥିଲେ। ଅନେକ ଶିକ୍ଷିତ ଯୁବକ କାମ ଆଶାରେ କମ୍ପାନିର ସ୍କିମରେ ଫସିଗଲେ। 25ହଜାର ଦେଲେ 37ହଜାର ଟଙ୍କାର କାମ ମିଳିବ।ଘରେ ବସି ଅଫଲାଇନ ବା ଅନଲାଇନରେ ଡାଟା ଏଣ୍ଟ୍ରି ,ଟେଲି କଲିଂ ଭଳି ଅନେକ କାମର ସୁଯୋଗ ଦେଖାଇ ଥିଲେ। ଏନେଇ ଗଞ୍ଜାମରେ ଏକ ଅଫିସ ଖୋଲି ଚାକିରୀ ସୁଯୋଗ ଦେଉଥିଲେ। ପରେ ଆଡଭାନସ ଟଙ୍କା ନେଇ ଆଉ ଧରାଛୁଆ ଦେଉନଥିଲେ। ଏହିପରି ଢଙ୍ଗରେ 1କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନେକଙ୍କଠାରୁ ଠକିନେଇଥିବା ଅଭିଯୋଗ ହୋଇଛି। ଏନେଇ ଭଞ୍ଜନଗର ଥାନାରେ ମାମଲା ରୁଜୁ ହୋଇଛି। କିନ୍ତୁ ଉଭୟଙ୍କ କୌଣସି ପତ୍ତା ମିଳୁନାହିଁ।
ଏନେଇ EOW ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଦୁଇ ଠକ ଟଙ୍କା ନେଇ ମାଲେସିଆରେ ଲୁଚିଥିବା ଜଣାପଡ଼ିଛି। ତେଣୁ ଇଓଡବ୍ଲୁର ଅନୁରୋଧକ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଲୁକ ଆଉଟ ସର୍କୁଲାର ଜାରି କରିଛି। ଅର୍ଥାତ ବିମାନବନ୍ଦରରେ ନଜର ଆସିଲେ ତୁରନ୍ତ ଗିରଫ ପାଇ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଦୁଇ ଠକଙ୍କ ଉପରେ ନଜର ରଖିଛି ବୋଲି ଇଓଡବ୍ଲୁ ଏସ୍ପି ଦିଲ୍ଲିପ ତ୍ରିପାଠୀ ସୂଚନା ଦେଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର