ଭୁବନେଶ୍ବର: ଦୁଇ ବର୍ଷ ଭିତରେ ଗଲାଣି 87 ମୁଣ୍ଡ । ଏନ୍ଏଚ୍ 53 ଚଣ୍ଡିଖୋଲରୁ ଡୁବୁରୀ ରାଜପଥ ହେଉଛି ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରବେଶ ପଥ। ଏହି ରାଜପଥ ପାରାଦୀପ ଓ ଧାମରା ସହିତ ଟାଟାମାଇନ୍ସ, ଯୋଡା, ବଡବିଲ ପ୍ରଭୃତି ଖଣି ଅଞ୍ଚଳକୁ ସଂଯୋଗ କରୁଥିବାରୁ ପ୍ରତିଦିନ ହଜାର ହଜାର ବଡ ଗାଡି ଯିବା ଆସିବା କରେ। ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ତିନିଟି ଜିଲ୍ଲା ଜୀବନ ରେଖା ଏହି ରାସ୍ତା ଅଟେ। ଏହି ରାଜପଥର କବାଟବନ୍ଧ ନିକଟରେ 1960 ମସିହାରେ ଯାନବାହନକୁ ଦେଖି 1.25କିଲୋମିଟର ବ୍ରାହ୍ମଣୀ ସେତୁ ତିଆରି ମଧ୍ୟ କରାଯାଇଥିଲା । ହେଲେ ଏହି ବ୍ରିଜ 20 ଟନରୁ ଅଧିକ ଓଜନ ସମ୍ଭାଳି ପାରୁନାହିଁ କିନ୍ତୁ ଏବେ 20 ଟନରୁ ଅଧିକ ଓଜନ ନେଉଥିବା ଗାଡି ଏହି ବ୍ରିଜ ଉପରେ ଗଡିବାରୁ ଏହାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଦୁଇ ବର୍ଷ ଭିତର 87 ଜଣଙ୍କ ମୁଣ୍ଡ ଏହି ରାସ୍ତାରେ ଗଡିବା ସହ 350ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଧୀରେ ଧୀରେ ଗାଡି ସଂଖ୍ୟା ବଢିବାରୁ ରାସ୍ତା ଓ ବ୍ରିଜରେ ଅନବରତ ଭିଡ ରହୁଛି। ଅନ୍ୟ ପଟେ ସଚେତନ ନାଗରିକ ମଞ୍ଚ ବାରମ୍ବାର ଦ୍ବିତୀୟ ବ୍ରହ୍ମଣୀ ସେତୁ ତିଆରି ପାଇଁ ଦାବି କରି ଆସୁଥିଲେ ମଧ୍ୟ କିଛି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବା କହିଛି ସଙ୍ଘ ।
ଯାହାକୁ ନେଇ ଭୁବନେଶ୍ବର ସ୍ଥିତ ପାଲହାଇଟ୍ସ ଏନଏଚଏଆଇ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ସଚେତନ ନାଗରିକ ମଞ୍ଚ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ