ଭୁବନେଶ୍ବର: ରାଉରକେଲା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା। ମହିଳା ଜଣକ ଏକ ବର୍ଷ ତଳେ ରାଉରକେଲା ରିଜର୍ଭ ପୋଲିସ କନଷ୍ଟେବଳ ଧିରେନ୍ଦ୍ର ବିଶ୍ବାଳଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଧିରେନ୍ଦ୍ର ମହିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ରାଉରକେଲା ପୋଲିସ ନିକଟରେ ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନି। ଓଲଟା ରାଉରକେଲା ବରିଷ୍ଠ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ମହିଳାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ କନଷ୍ଟେବଳ ଧିରେନ୍ଦ୍ର ମହିଳାଙ୍କୁ ଦୁଇମାସର ଗର୍ଭକୁ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ମଦ୍ୟପାନ କରି ଗାଳିଗୁଲଜ ସହ ମାଡ଼ ମାରୁଛନ୍ତି। ପ୍ରତିବାଦ କରିବାରୁ ଜାତିଗତ ଆକ୍ଷେପ କରି ମାଡ଼ ସହ ଘରୁ ବାହାରିଯିବାକୁ ଧମକ ଦେଉଛନ୍ତି। ଏଥିରେ ପ୍ରତିବାଦ କରିବାରୁ ତାଙ୍କ ସହ ଥିବା ଅନ୍ତରଙ୍ଗ ମୁହୁର୍ତର ଫଟୋକୁ ଭାଇରାଲ କରିବାକୁ ଧମକ ଦେଉଛନ୍ତି ଧିରେନ୍ଦ୍ର। ଏହି ସମସ୍ତ ଘଟଣା ରାଉରକେଲା ପୋଲିସକୁ ଜଣାଇବାରୁ ପୋଲିସ କୌଣସି ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ମହିଳା ଜଣକ କମିଶନରେଟ ପୋଲିସ ନିକଟରେ ଏନେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁହାରି କରିଛନ୍ତି।

୧୮ ଫେବୃଆରି ୨୦୧୯ରେ ବୈଦିକ ରିତିନୀତିରେ ରାଉରକେଲା ରିଜର୍ଭ ପୋଲିସ କନଷ୍ଟେବଳ ଧିରେନ୍ଦ୍ର ବିଶ୍ବାଳଙ୍କୁ ପ୍ରେମ ବିବାହ କରିଥିଲେ। ବର୍ତ୍ତମାନ ଧିରେନ୍ଦ୍ର ରାଉଲକେଲାରେ ଫର୍ଟିଲାଇଜର କଲୋନି ଟାଙ୍ଗରାପଲ୍ଲୀ ରଘୁନାଥପୁରରେ ରହୁଛନ୍ତି। ରାଉରକେଲା ପୋଲିସ ଷଡ଼ଯନ୍ତ୍ର କରି ଏହି ଘଟଣାକୁ ଚାପି ଦେବାକୁ ବସିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ ମହିଳା।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ