ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପରେ ଭୁବନେଶ୍ବର ଫେରିଲେ 2 ଓଡିଆ ଶହୀଦଙ୍କ ସମ୍ପର୍କୀୟ - ଶୌର୍ଯ୍ୟଚକ୍ର ସମ୍ମାନ ପରେ ଭୁବନେଶ୍ବର ଫେରିଲେ ଶହୀଦ ପରିବାର
ଦୁଇ ଓଡିଆ ଶହୀଦଙ୍କ ପରିବାର ରାଷ୍ଟ୍ରପତିଙ୍କ ଠାରୁ ଶୌର୍ଯ୍ୟଚକ୍ର ଗ୍ରହଣ ପରେ ଓଡିଶାରେ ପହଞ୍ଚିଲେ । ପୁଅକଥା ମନେପକାଇ ଭାବବିହ୍ବଳ ହେଲେ ସମ୍ପର୍କୀୟ । ଅଧିକ ପଢନ୍ତୁ

ଭୁବନେଶ୍ବର: ମାଓବାଦୀଙ୍କ ସହ ଲଢି ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଦେବାଶିଷ ସେଠୀ ଏବଂ ସୁଧିର ଟୁଡୁଙ୍କ ପରିବାର ଗ୍ରହଣ କରିଛନ୍ତି ସମ୍ମାନଜନକ ଶୌର୍ଯ୍ୟଚକ୍ର ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଠାରୁ ପୁଅର ବଳିଦାନ ପାଇଁ ଏହି ପରିବାରବର୍ଗ ଶୌର୍ଯ୍ୟଚକ୍ର ଗ୍ରହଣ କରି ଫେରିବା ପରେ ଭାବବିହ୍ବଳ ହୋଇପଡିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।
ଏହି ପରିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ଶୁଭେଚ୍ଛା ଓ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଶହୀଦ ଦେବାଶିଷ ସେଠୀଙ୍କ ବାପା ସନାତନ ସେଠୀ କହିଛନ୍ତି, ପୁଅ ପାଇଁ ଆଜି ଆମେ ଗର୍ବିତ । ଦେଶ ପାଇଁ ଜୀବନ ଦେଇଥିବା ପୁଅ ପାଇଁ ଦିଲ୍ଲୀରୁ ସମ୍ମାନିତ ହୋଇ ଫେରିଲୁ ଏହାଠାରୁ ଗର୍ବ ଆଉ କଣ ହୋଇପାରେ ବୋଲି ଦୋବାଶିଷଙ୍କ ବାପା କହିଛନ୍ତି । ସେହିପରି ଶହୀଦ ସୁଧିର ଟୁଡୁଙ୍କ ମାଆ ମଧ୍ୟ ଭାବବିହ୍ବଳ ହୋଇପଡିଛନ୍ତି । ପୁଅ ତ ନାହିଁ ପୁଅର ସ୍ମୃତିରେ ଏହି ଶୌର୍ଯ୍ୟଚକ୍ର ହିଁ ସବୁଦିନ ଆମ ପୁଅକୁ ମନେ ପକାଇବ । ଏହି ସମ୍ମାନ ଦେଖିଲେ ପୁଅର ବଳିଦାନ କଥା ମନେ ପଡିବ ବୋଲି ସୁଧିରଙ୍କ ମାଆ କହିଛନ୍ତି ।
ତେବେ ସୁଧିରଙ୍କ ମାଆ ଓ ଭାଇ ଯାଇଥିଲେ ଦିଲ୍ଲୀ । ରାଷ୍ଟ୍ରପତିଙ୍କ ଠାରୁ ଶୌର୍ଯ୍ୟଚକ୍ର ସମ୍ମାନ ଗ୍ରହଣ କରି ଫେରିଛନ୍ତି ଓଡିଶା । ସେପଟେ ଏହି ପରିବାର ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ଯିବେ, ସେଠାରେ ସମ୍ମାନିତ ହେବାପରେ ଗାଁକୁ ଫେରିଯିବେ । ସୂଚନା ଅନୁଯାୟୀ ୯.୯.୨୦୨୦ ରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସିର୍କି ଜଙ୍ଗଲରେ ମାଓବାଦୀ ଗୁଳିବିନିମୟରେ ଏସଓଜି କମାଣ୍ଡୋ ସୁଧିର ଟୁଡୁ ଓ ଦେବାଶିଷ ସେଠୀ ଶହୀଦ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର