ଭୁବନେଶ୍ବର: ସାତ ଦିନ ପାଇଁ ପ୍ରତ୍ୟେକ ଦିନ ଛଅ ଘଣ୍ଟା ବନ୍ଦ ରହିବ ରେଳବାଇ ସଂରକ୍ଷଣ ପ୍ରଣାଳୀ । ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ ପୂର୍ବ ସେବାକୁ ପର୍ଯ୍ୟାୟକ୍ରମେ ଫେରାଇବା ପାଇଁ ସାତଦିନ ପ୍ରତ୍ୟେକ ଦିନ ୬ ଘଣ୍ଟା ବନ୍ଦ ରହିବ ସଂରକ୍ଷଣ ପ୍ରଣାଳୀ । ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି ସଠିକ କରାଯିବ। ଏକ୍ସପ୍ରେସ ଟ୍ରେନ ସହିତ ବହୁତ ପୁରୁଣା ଟ୍ରେନ୍ ନମ୍ବର ଓ ବିଶେଷ ଟ୍ରେନ ଇତ୍ୟାଦିକୁ ସଂଯୋଗ କରାଯିବ।
ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍ କରାଇବା କାର୍ଯ୍ୟ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପର୍ଯ୍ୟାୟକ୍ରମେ ସମ୍ପାଦନ କରିବାର ଯୋଜନା କରାଯାଇଛି। ସେଥିପାଇଁ ଟିକେଟ୍ ବୁକିଂ ସେବାଗୁଡିକର ପ୍ରଭାବକୁ ନିର୍ଭୁଲ କରିବା ପାଇଁ ଯତ୍ନର ସହିତ କ୍ରମାଙ୍କନ କରିବା ଇତ୍ୟାଦିକୁ ରାତି ସମୟରେ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକଳାପ ୧୪ ଏବଂ ୧୫ ନଭେମ୍ବରର ମଧ୍ୟବର୍ତ୍ତୀ ରାତିରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ଏବଂ ୨୧ ନଭେମ୍ବର ଶେଷ କରାଯିବ। ରାତି ୧୧ ଟା ୩୦ ମିନିଟରୁ ଆରମ୍ଭ ହୋଇ ଭୋର ୫ଟା ୩୦ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେଉଛି । ଏହି ସମୟରେ କୌଣସି ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା (ଟିକେଟ୍ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ, ବାତିଲ୍, ଅନୁସନ୍ଧାନ ସେବା ଇତ୍ୟାଦି) ଉପଲବ୍ଧ ହେବ ନାହିଁ । ପ୍ରଭାବିତ ସମୟ ମଧ୍ୟରେ ରେଳ କର୍ମଚାରୀମାନେ ଟ୍ରେନ୍ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟିଂ ନିଶ୍ଚିତ କରିବେ ।
ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ବ୍ୟତୀତ, 139 ସେବା ସହିତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ । ବର୍ତ୍ତମାନ ଟ୍ରେନ୍ ନମ୍ବର ଜିରୋ (ଶୂନ) ସହିତ ଆରମ୍ଭ ହେବ ନାହିଁ ଯାହାକି ବିଶେଷ ଟ୍ରେନ ମାନଙ୍କ ମୂଳ ନମ୍ବରରୁ ଆରମ୍ଭ କରାଯାଉଥିଲା । ସ୍ୱତନ୍ତ୍ର ଟ୍ରେନ୍ ନମ୍ବରକୁ ନିୟମିତ ଟ୍ରେନ୍ ନମ୍ବରରେ ରୂପାନ୍ତର ପ୍ରକ୍ରିୟା CRIS ଦ୍ୱାରା ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି ଆଶା କରାଯାଉଛି । ଯାତ୍ରୀ ସେବାକୁ ସ୍ୱାଭାବିକ ତଥା ନବୀକରଣ କରିବା ପ୍ରୟାସରେ ରେଳବାଇର ଗ୍ରାହକମାନେ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ