ଭୁବନେଶ୍ବର: ଆସନ୍ତା 7 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧାର ବରୁଣେଇରେ ଅନୁଷ୍ଠିତ ପାଇକ ମେମୋରିଆଲରେ ଯୋଗଦେବେ ।ଏଥିସହ ବାଣିବିହାର ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବରେ ଯୋଗଦେବେ କୋବିନ୍ଦ ।
ଏନେଇ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ । ବ୍ଲୁ ପ୍ରିଣ୍ଟ ଅନୁସାରେ ସିକ୍ୟୁରିଟି ବ୍ୟବସ୍ଥା ସହ 50 ପ୍ଲାଟୁନ ଫୋର୍ସ ଖୋର୍ଦ୍ଧା ବରୁଣେଇ, ବାଣୀବିହାର ଓ ରାଜଭବନ ସହ କାରକେଡ ପାଇଁ ମୁତୟନ ହେବେ । ଏନେଇ କମିସନରେଟ ପୋଲିସ, ଗୁଇନ୍ଦା ନିର୍ଦ୍ଦେଶକ, ଭୁବନେଶ୍ବର ଡିସିପି, ରେଲୱେ ଏଡିଜି ସହ, ଖୋର୍ଦ୍ଧା ଏସପି ଓ ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ସତ୍ୟଜିତ ମହାନ୍ତି ।
ତେବେ 7 ତାରିଖ ସନ୍ଧ୍ୟାରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ରାତିରେ ରାଜଭବନରେ ରାତ୍ରିଯାପନ କରିବେ ଓ ପରେ 8 ତାରିଖରେ ବରୁଣେଇ ଗସ୍ତ ସହ ବାଣୀବିହାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ