ଭୁବନେଶ୍ବର : ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ପଶ୍ଚିମ ଓଡିଶା ଚକା ବନ୍ଦ ଡାକରା ଦେଇଛି ବିଜେପି । ବନ୍ଦକୁ ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ । ପଶ୍ଚିମ ଓଡିଶା ବନ୍ଦ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଚାଷୀଙ୍କ ସମସ୍ୟା ନେଇ ପଶ୍ଚିମ ଓଡ଼ିଶାରେ ବିଜେପିର ଚକଜାମ କରିବା ଏକ ନିର୍ଲଜତାର ପରିଚୟ । କେନ୍ଦ୍ର ସରକାରଙ୍କ ଏଜେଣ୍ଟମାନେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟ ବିଜେପି ପ୍ରଥମେ ନିଜ କ୍ଷମତା ପ୍ରୟୋଗ କରି ରାଜ୍ୟରେ ଥିବା ଏଜେଣ୍ଟ ମାନଙ୍କୁ ହଟାନ୍ତୁ । ପ୍ରଚଳିତ ଆଇନ ଅନୁସାରେ ଚାଷୀ ନିଜ ଧାନର ଉପଯୁକ୍ତ ମୂଲ୍ୟ ପାଇପାରୁନି ।
ଏବେ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଚାଷୀଙ୍କଠାରୁ ଧାନ କିଣାଯାଉନି । କିଛି ଦୁର୍ନୀତିଖୋର ବ୍ୟବସାୟୀ ଏବେ ଏହାର ଫାଇଦା ନେଉଛନ୍ତି । ରାଜ୍ୟ ବିଜେପି କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କୋଟି କୋଟି ଟଙ୍କାର ହେଉଥିବା ଦୁର୍ନୀତି ଅଟକାନ୍ତୁ ବୋଲି ନରସିଂହ କହିଛନ୍ତି । ସେପଟେ ବନ୍ଦ ପ୍ରସଙ୍ଗ ବିଜେପିକୁ ଘେରିଛି ବିଜେଡି । ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା । ରାଜ୍ୟ ସରକାର ଯାହା ପଦକ୍ଷେପ ନେବା କଥା ନେଉଛନ୍ତି । ବିଜେପି ଜନସାଧାରଣଙ୍କୁ ବାଟବଣା କରିବା ଓ ପ୍ରସଙ୍ଗରୁ ନଜର ହଟାଇବା ଲାଗି ବନ୍ଦର ସାହାରା ନେଉଥିବା କହିଛନ୍ତି ଶଶୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ