ଭୁବନେଶ୍ବର: ପରୀକ୍ଷା ନହେବାରୁ ରାସ୍ତାକୁ ଓହ୍ଲାଇଲେ ୨୦୨୦- ୨୨ ଶିକ୍ଷା ବର୍ଷର ଡ଼ି ଫାର୍ମା ଛାତ୍ରଛାତ୍ରୀ । ୨ ବର୍ଷ ଧରି କୋଭିଡ ଆଳରେ ଅନଲାଇନ ପାଠପଢା ସଠିକ ଭାବେ ହୋଇନାହିଁ । ସେପଟେ କଲେଜ କର୍ତ୍ତୃପକ୍ଷ ବାରମ୍ବାର ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲିଛନ୍ତି କିନ୍ତୁ ପରୀକ୍ଷା କରୁନାହାନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ପ୍ରଥମ ଶିକ୍ଷା ବର୍ଷରେ ମଧ୍ୟ କୌଣସି ପରୀକ୍ଷା ହୋଇନଥିବା ବେଳେ ଦ୍ବିତୀୟ ଶେଷ ଶିକ୍ଷା ବର୍ଷକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଫାଇନାଲ୍ ପରୀକ୍ଷା ହୋଇନାହିଁ । ଯାହାକୁ ନେଇ ଆଜି ଗର୍ଜିଛନ୍ତି ଛାତ୍ରଛାତ୍ରୀ ।
ଫେବୃଆରୀ ମାସ ଆରମ୍ଭରୁ ପରୀକ୍ଷା କରାଯିବା ସହ କୋଭିଡ ହେତୁ ଅନଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟ ସେଣ୍ଟର ପଡିଲେ ସେଠାରେ ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ । ତେବେ ଏନେଇ ଭୁବନେଶ୍ୱରର ପ୍ରେସ ଛକରୁ ବାହାରି ଡ୍ରଗ୍ସ ଟେଷ୍ଟ ଏବଂ ରିସର୍ଚ୍ଚ ଲ୍ୟାବ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛନ୍ତି ଫାର୍ମା ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ