ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ହେଲେ ତୃତୀୟ ଦିନରେ ମଧ୍ୟ ସ୍ବାଭାବିକ ହୋଇପାରିନାହିଁ ଉଭୟ ସଦନ । ଦରଦାମ ବୃଦ୍ଧି, ଜିଏସଟି ସମେତ କିଛି ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ବସିଛନ୍ତି ବିରୋଧୀ ।
ରାଜ୍ୟସଭା ଆଜି ଆରମ୍ଭ ହେବା ମାତ୍ରେ ପିଟି ଉଷା ସଦସ୍ୟ ଭାବେ ଶପଥ ନେଇଥିଲେ । ପୁରା ସଦନ ପିଟି ଉଷାଙ୍କୁ ଟେବୁଲ ବାଡେଇ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଥିଲା । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମାନେ ମିଳିତ ଭାବେ ଦରଦାମ ବୃଦ୍ଧି, ଜିଏସଟି ସମେତ କିଛି ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିଲେ । ଗୃହ ଚଳାଇବା ସମ୍ଭବ ନହେବାରୁ ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ଆଜି ମଧ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳ ଚାଲିପାରିଲା ନାହିଁ ।
ସେହିପରି ଲୋକସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ନିମ୍ନ ସଦନରେ ମଧ୍ୟ କଂଗ୍ରେସ, ଡିଏମକେ ଭଳି ଦଳ ଜିଏସଟି, ଅଗ୍ନିପଥ, ବେକାରୀ, ଦରଦାମ ବୃଦ୍ଧି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ପାଇଁ ଅଡି ବସିଥିଲେ । ଫଳରେ ଗୃହ ଆରମ୍ଭର 15 ମିନିଟ ପରେ ପ୍ରଥମେ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲା ବାଚସ୍ପତି । ବାଚସ୍ପତି ପ୍ରଶ୍ନକାଳ ସ୍ବାଭାବିକ କରିବା ସହ ବିରୋଧୀଙ୍କୁ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଥିଲେ ।
ବାଚସ୍ପତି କହିଥିଲେ ସଦନ ଚର୍ଚ୍ଚା ଆଲୋଚନା ପାଇଁ । ହଙ୍ଗାମା ପାଇଁ ନୁହେଁ । ନାରାବାଜୀ, ହଙ୍ଗାମା କରୁଥିବା ସଦସ୍ୟ ସଦନର ଗରିମା ଖରାପ କରୁଥିବା ବାଚସ୍ପତି କହିଥିଲେ । ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ବିରୋଧୀଙ୍କୁ କଡା ସମାଲଚୋନା କରି କହିଥିଲେ, ''ସଦନରେ ଅଧିକାଂଶ ସଦସ୍ୟ ଚାହୁଁଛନ୍ତି ପ୍ରଶ୍ନକାଳ । ହେଲେ ବିରୋଧୀ କଂଗ୍ରେସ ଓ କଂଗ୍ରେସ ସହଯୋଗୀ ଦଳ ମାନେ ଗୃହର ସମୟକୁ ନଷ୍ଟ କରୁଛନ୍ତି । ବିରୋଧୀ ସ୍ପଷ୍ଚ କରନ୍ତୁ ଆଲୋଚନା କରିବେ ନା ହଙ୍ଗାମା'' ।
ସେପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ଦେଶରେ ଏକ ସଂକଟ ସୃଷ୍ଟି ହୋଇଛି । ସାଧରଣ ଜନତାକୁ ସରକାର ସଂକଟକୁ ଠେଲି ଦେଇଛନ୍ତି । ବର୍ତ୍ତମାନର ଦରବୃଦ୍ଧି ପାଇଁ ମହିଳା, ବୟସ୍କ, ବୃଦ୍ଧ, ଯୁବକ ଶିଶୁ ସମସ୍ତେ ପ୍ରଭାବିତ ହୋଇଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଆଲୋଚନା ଜରୁରୀ ବୋଲି କହିଥିଲେ । ଉଭୟ ସଦନ ମୁଲତବୀ ହୋଇଯିବାରୁ ବିରୋଧୀ ଆଜି ପୁଣି ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଥିଲେ ।
ଅନ୍ଯପଟେ ଅପରାହ୍ନ 2 ଟାରେ ଉଭୟ ସଦନ ପୁଣି ଥରେ ଆରମ୍ଭ ହୋଇଥିଲା । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଥିଲା । ଫଳରେ ଉଭୟ ସଦନକୁ ଆସନ୍ତାକାଲି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ।