ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ କଳିଙ୍ଗ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଛି। ଏହି ମିଟକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ଏହି ଅବସରରେ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ସମେତ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।
ଆଜି ଅନୁଷ୍ଠିତ ଏହି ଦିନିକିଆ ସ୍ପୋର୍ଟସ ମିଟରେ ରାଜ୍ୟର 180ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ 6ଟି ବିଭାଗରେ ଅଂଶଗ୍ରହଣ କରି ସେମାନଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ସହିତ ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ଶାସନ ସଚିବ ଶର୍ମା ପ୍ରକାଶ କରିଛନ୍ତି। ପ୍ରତିଭାଙ୍କୁ ତୃଣମୂଳ ସ୍ତରରୁ ଚିହ୍ନଟ କରିବା ପ୍ରତିଯୋଗିତାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ତାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ଦିଆଯିବ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ