ଭୁବନେଶ୍ବର: ‘ମୋ ସରକାର’ରେ ସାମିଲ ହେଲା ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପସ୍ଥିତରେ ହେଲା ସାମିଲ ।
ଏହି ବିଭାଗ ମୋ ସରକାରରେ ସାମିଲ ହେବା ପରେ ରାଜ୍ୟର 314 ବ୍ଲକ ଏବଂ 30 ଡିଆରଡିଏରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି କୁହାଯାଇଛି । ଏହି ଅବସରରେ 2024ସୁଦ୍ଧା ପ୍ରତ୍ୟେକ ପରିବାରକୁ ପକ୍କାଘର ଓ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଏମଜି, ଏନଆରଇଜିଏସ ମାଧ୍ୟମରେ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରି ଦାଦନ ସଂଖ୍ୟା କମେଇବା ପାଇଁ ବିଭାଗ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଛଡା ବିଭାଗ ଗ୍ରାମାଞ୍ଚଳରେ ଗୋଷ୍ଠୀ କେନ୍ଦ୍ର, ବିଦ୍ୟାଳୟ ମାନଙ୍କରେ ଖେଳ ପଡିଆ, ପୋଖରୀରେ ଗାଧୁଆ ତୁଠ ଆଦି ନିର୍ମାଣ କରୁଛି । ତେଣୁ ପଞ୍ଚାୟତରାଜ ବିଭାଗ ମୋ ସରକାର ଅଧୀନକୁ ଆସିବା ପରେ ଅଧିକ ନିଷ୍ଠା ଓ ସ୍ବଚ୍ଛତାର ସହ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ