ଭୁବନେଶ୍ବର: ରାଜ୍ୟ ବିଜେପିରେ କମ୍ପନ । ବିରୋଧୀ ଦଳ ନେତା ପଦକୁ ନେଇ ବିଜେପିରେ ବିସ୍ଫୋରଣ । ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା । ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଖୋଲା ବୟାନ ପରେ ବିଜେପି ବିଧାୟକ ଦଳରେ ସବୁ କିଛି ଠିକ୍ ନଥିବା ଚର୍ଚ୍ଚା ହେଉଛି ।
ଜୟନାରାୟଣ ସ୍ପଷ୍ଟ ଭାବେ ସଂକେତ ଦେଇଛନ୍ତି ଯେ ତାଙ୍କୁ ବିରୋଧୀଦଳ ନେତା ପଦରେ ବସାଇବାକୁ ଏକପ୍ରକାର ନିଷ୍ପତ୍ତି ହୋଇସାରିଥିଲା । କେନ୍ଦ୍ରୀୟ ନେତୃତ୍ବଙ୍କ କହିବା ଅନୁସାରେ ହିଁ ସେ କାମ ଆରମ୍ଭ କରିସାରିଥିଲେ । ବିଧାୟକ ମାନଙ୍କୁ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଆଣିବା ଠାରୁ ବିଧାନସଭାରେ ଦଳର ରଣନୀତି ଉପରେ ସେ ନିଷ୍ପତ୍ତି ନେଉଥିଲେ । ସେ ବିରୋଧୀ ଦଳ ନେତା ହୁଅନ୍ତୁ ବୋଲି ଦଳର ସବୁ ବିଧାୟକ ଚାହୁଁଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଘୂରି ଯାଇଥିଲା ଚକ । ଯାହାକୁ ନେଇ ଏହାପଛରେ ଏକ ବଡ ଡିଲ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ଜୟନାରାୟଣ । କିନ୍ତୁ ରହସ୍ୟ ପଛରେ କିଏ ତାହା ସେ କହିପାରିବେ ନାହିଁ ବୋଲି ଜୟନାରାୟଣ କହିଛନ୍ତି ।
ସେପଟେ କେନ୍ଦ୍ରୀୟ ନେତୃତ୍ବ କଣ ପାଇଁ ତାଙ୍କୁ ବିରୋଧୀ ଦଳ ନେତା କଲେ ତାହା ସେମାନେ କହିବେ । ତାମାନେ ନୁହେଁ ଯେ ସେ ବିରୋଧୀ ଦଳ ନେତା ପଦକୁ ଠିକ୍ ଭାବେ ତୁଲାଇ ପାରିବେ ନାହିଁ । ଯେଉଁଠି ଦରକାର ହେବ ବିଜେପି ପକ୍ଷରୁ ସେ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବେ । ଯଦି ସେ ତାଙ୍କ କାମ କରିବାରେ ବିଫଳ ହେବେ ତାହାଲେ ଦଳ ତାଙ୍କ ବଦଳରେ ଆଉ କାହାକୁ ବିରୋଧୀ ଦଳ ନେତା ପଦରେ ବସାଇଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।
ତେବେ ଜୟନାରାୟଣଙ୍କ ଏପରି ବକ୍ତବ୍ୟ ବିଜେଡି-ବିଜେପି ପଛର ଗୁମର କଥାକୁ ଖୁଲାସା କରିଦେଇଥିବା ଚର୍ଚ୍ଚା ହେଉଛି । ଜୟନାରାୟଣ ଜଣେ ସ୍ପଷ୍ଟବାଦୀ ନେତା ହେଇଥିବାରୁ ତାଙ୍କୁ ବିରୋଧୀ ଦଳ ନେତାପଦ ଦିଆଗଲାନାହିଁ । କାରଣ ସେ ବିଧାନସଭାରେ ବିଜେଡିର ମୁଣ୍ଡ ବିନ୍ଧା ବଢାଇଥାନ୍ତେ । ତେଣୁ ରାଜ୍ୟ ସରକାରଙ୍କୁ ସୁହାଇବା ଭଳି ଜଣେ ନରମ ସ୍ବଭାବର ବ୍ୟକ୍ତିତ୍ବଙ୍କୁ ଏହି ପଦବୀରେ ବସାଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ