ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା, ସେପ୍ଟେମ୍ବର ୨୯ , ମଙ୍ଗଳବାର ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ଭିତରେ ଉତ୍ତର ଉପକୂଳ ଏବଂ ଅନ୍ୟାନ୍ୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବାଲେଶ୍ୱରରେ ସର୍ବାଧିକ ୫୩.୬ ମିମି ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଉଲୁଣ୍ଡାରେ ୨୯.୦ ମିମି, ବାଲେଶ୍ୱର, ରେମୁଣାରେ ୨୨.୦ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ବାଲେଶ୍ୱରରେ ସର୍ବାଧିକ ୩୫.୮ ଡିଗ୍ରୀ ସେ.ତାପମାତ୍ରା ରେକର୍ଡ କରାଯାଇଛି । ୧ ଜୁନରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୩୩.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ରହିଛି । ମାଲକାନଗିରି ଓ ଝାରସୁଗୁଡା ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ସେହିପରି ପୁରୀ, ବାଲେଶ୍ୱର, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାରେ କମ ବର୍ଷା ରେକର୍ଡ କରାଯାଇଛି । ଅବଶିଷ୍ଟ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ