ଭୁବନେଶ୍ବର: ଆସନ୍ତାକାଲି(ବୁଧବାର)ଠାରୁ ରାଜ୍ୟରେ ଆରମ୍ଭ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ଷଷ୍ଠ ସାଧାରଣ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୧୬ ତାରିଖ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ ଏହି ନିର୍ବାଚନ ପ୍ରକ୍ରିୟା । ନିର୍ବାଚନରେ ମୋଟ ୨ କୋଟି ୭୯ ଲକ୍ଷ ଭୋଟର ୬୭୯୪ ପଞ୍ଚାୟତର ୯୧୯୧୩ ବୁଥ୍ରେ ନିଜର ମତ ସାବ୍ୟସ୍ତ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ଦିନ ଲେଖାଏଁ ବ୍ୟବଧାନ ରଖାଯାଇଛି । ରାଜ୍ୟର ମୋଟ ୯୧୯୧୩ ବୁଥ୍ ମଧ୍ୟରୁ ୧୩୭୮୫ ସମ୍ବେଦନଶୀଳ ବୁଥ ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପୋଲିଂପାର୍ଟି ଆଜି ଅପରାହ୍ନ ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚିବେ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଳକ୍ର ୧୬୬୯ ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୨୨୩୭୯ ବୁଥ୍ରେ ୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜ ମତ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୩୩୫୭ ବୁଥ୍ ସମ୍ବେଦନଶୀଳ ରହିଛି ।
ନିର୍ବାଚନକୁ ସୁରୁଖୁରରେ ପରିଚାଳନା ପାଇଁ ମୋଟ ୩୭୨୪୫ ପୋଲିସ କର୍ମଚାରୀ ନିୟୋଜିତ ହେବେ । ମୋଟ ୨୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ତ୍ଵାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ ଗ୍ରହଣ ସକାଳ ୭ଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ଘଟିକା ପର୍ଯ୍ୟନ୍ତ ଚାଲିବ ।
ଭୋଟରମାନେ ନିର୍ବାଚନ କମିଶନ, ଭାରତଙ୍କ ଦ୍ଵାରା ପ୍ରଦତ୍ତ ଭୋଟ ପରିଚୟ ପତ୍ର (EPIC) ଦେଖାଇ ଭୋଟ୍ ଦେଇ ପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟ ପତ୍ର ନ ଥାଏ, ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରା ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେ କୌଣସି ଗୋଟିଏ ଦସ୍ତାବିଜ ଦେଖାଇ ଭୋଟ୍ ଦେଇ ପାରିବେ । ଉକ୍ତ ପରିଚୟ ପତ୍ର ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ବ୍ୟବହାର କରିପାରିବେ ।
COVID-19 କଟକଣା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ପ୍ରତ୍ୟେକ ଭୋଟରଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଭୋଟର ମାନଙ୍କୁ ନିର୍ଭୟରେ କୋଭିଡ କଟକଣା ପାଳନ କରି ଶାନ୍ତି ଶୃଙ୍ଖଳାର ସହିତ ନିଜର ମତ ସାବ୍ୟସ୍ତ କରିବାକୁ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ଅନୁରୋଧ କରିଛନ୍ତି ।
ଭୁବେନଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ