ଭୁବନେଶ୍ବର: ଶିଶୁମାନଙ୍କ ଦକ୍ଷତାକୁ ଦ୍ବିଗୁଣିତ କରିବାରୁ ଉଦ୍ୟମ ଆରମ୍ଭ କରିଛି ଓଏସପିସିଆର । ସେମାନଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ଏଣିକି ସ୍କୁଲରେ ବୁଲିବ ସଚେତନତା ରଥ । ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବା ପରେ ଆରମ୍ଭ ହେବ ସଚେତନତା ଓ ସୁରକ୍ଷା ଅଭିଯାନ । ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର (Odisha State Commission For Protection Of Child Rights) ପ୍ରତିଷ୍ଠା ଦିବସ ଅବସରରେ ଚଳିତ ମାସ ୧ ତାରିଖରୁ ୪୦ ଦିନିଆ ରାଜ୍ୟ ସ୍ତରୀୟ ଏକ ଶିଶୁ ବିଧାନସଭାର ଆୟୋଜନ ହେବ ।
ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲି ବୁଲି ଶିଶୁ ମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦିଆଯିବ। ଏହା ସହ ରାଜଧାନୀରେ ରାଜ୍ୟ ସ୍ତରୀୟ ଏକ ଚାଇଲ୍ଡ ଆସେମ୍ବଲି ବା ଶିଶୁ ବିଧାନସଭା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରାଯିବ । ସେମାନଙ୍କ ଦକ୍ଷତା ଓ ମାନସିକତା ପରଖିବ ଆୟୋଗ। ଏ ନେଇ ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ପରାମର୍ଶଦାତା ବୈଠକ ଆୟୋଜନ କରାଯିବ।
ଡିସେମ୍ବର ୧୦ ତାରିଖରେ ୪୦ ଦିନିଆ ଅଭିଯାନ ଶେଷ ହେବ । ଏହା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ