ଭୁବନେଶ୍ବର: ସ୍ଥାନୀୟ ଏକାମ୍ର ହାଟଠାରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ବାରା ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଏହି ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ (Special Handloom Expo) ହୋଇଯାଇଛି। ରଜ ସଂକ୍ରାନ୍ତି ପର୍ବ ଅବସରରେ ଏହି ମେଳା ଆୟୋଜନ କରାଯାଇଛି । ଏହି ମେଳାକୁ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍ଘାଟନ କରିଛନ୍ତି । ହସ୍ତଶିଳ୍ପ ମନ୍ତ୍ରୀ କହିଛନ୍ତି, "ହସ୍ତତନ୍ତ ସାମଗ୍ରୀ କେବଳ ଆମ ଦେଶ କାହିଁକି ସାରା ପୃଥିବୀର ବିଭିନ୍ନ ଦେଶରେ ଆଦୃତି ଲାଭ କରିଛି। ତେଣୁ ହସ୍ତତନ୍ତ ଉତ୍ପାଦଗୁଡ଼ିକର ଅଧିକରୁ ଅଧିକ ପ୍ରସାର ଓ ଆଦୃତି ପାଇଁ ଏଭଳି ମେଳାର ଆବଶ୍ୟକତା ରହିଛି ।"
ଉଦ୍ଘାଟନୀ ଉତ୍ସବରେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ୩୩ ଗୋଟି ସମବାୟ ସମିତି/ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।
ବୁଣାକାରମାନଙ୍କୁ ୩୩ ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି । ଏହି ସ୍ବତନ୍ତ୍ର ହସ୍ତତନ୍ତ ମେଳା ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ସମୁଦାୟ ୮୭୦ ଜଣ କାରିଗର ଓ ବୁଣାକାର ୧୪ଟି ପ୍ରଦ ପଦର୍ଶନୀରେ ଭାଗ ନେ ଇପାରିଛନ୍ତି । ଏହି ହାଟରେ ୧୫ ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ସରକାରୀ ରିହାତିରେ କିଣିପାରିବେ । ଏହିଭଳି ସ୍ବତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ ଦ୍ବାରା ରାଜ୍ୟରେ ହସ୍ତତନ୍ତର ପ୍ରଚାର ଓ ପ୍ରସାର ହୋଇପାରିବ ।
ସମ୍ମାନିତ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ଯୋଗଦେ ଇଥିଲେ । ଓଡ଼ିଶା ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ସ୍ବତନ୍ତ୍ର ସଚିବ ସରୋଜ କୁମାର ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।