ଭୁବନେଶ୍ବର: ଏଣିକି ସରକାରୀ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥା ହେବ ବୋଲି ଆଜି ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020ରେ ଉଲ୍ଲେଖ ରହିଛି ।
ଏହାସହ ବେଆଇନ ଧର୍ମଘଟକୁ କେହି ପ୍ରୋତ୍ସାହିତ କରେ କିମ୍ଵା ତାକୁ ସମର୍ଥନ କରି ଆର୍ଥିକ ସହଯୋଗ କରେ ସେହି ବ୍ୟକ୍ତିଙ୍କୁ ଏକବର୍ଷ ଜେଲ ଦଣ୍ଡ କିମ୍ବା 5 ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ । ଉଭୟ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇ ପାରିବ । ଯଦି କୌଣସି ଧର୍ମଘଟରେ କୌଣସି କର୍ମଚାରୀ ଅଂଶଗ୍ରହଣ କରନ୍ତି ତାହା ବେଆଇନ ଅଟେ । ଅନ୍ୟକୁ ଧର୍ମଘଟ କରିବା ପାଇଁ ପ୍ରବର୍ତ୍ତାଇଲେ ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଲ୍ରେ ଦର୍ଶାଯାଇଛି ।
ଏହି ବିଧେୟକରେ 1988ର ଅଧିନିୟମକୁ ସଂଶୋଧନ କରାଯାଇଛି । ନୂଆ ଅଧିନିୟମ ଅନୁସାରେ, କିଛି ସେବାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ସାମିଲ କରାଯାଇଛି । ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡିତ ସେବାରେ ବ୍ୟାଘାତ ହେଲେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ । ତେବେ ଏହାକୁ ବିରୋଧୀ ବିରୋଧ କରୁଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ