ଭୁବନେଶ୍ବର: ରାଜ୍ୟରେ କମୁଛି ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା । ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିପାରୁନାହିଁ ଆଉ ଇଞ୍ଜିନିୟରିଂ ଶିକ୍ଷା । ଲାଗାତାର ଭାବେ କମୁଛି ଛାତ୍ରଛାତ୍ରୀଙ୍କ ସଂଖ୍ୟା । ଖାଲି ପଡୁଛି ହାଜର ହଜାର ସିଟ ।
ଶନିବାର ବିଧାନସଭାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟର ମୋଟ 93 ଟି ଇଞ୍ଜିନିୟରିଂ କଲେଜରେ 31 ହଜାର 174 ସିଟ ରହିଛି । ସେଥିମଧ୍ୟରୁ 2019-20 ଶିକ୍ଷା ବର୍ଷରେ 19 ହଜାର 429 ସିଟ ଖାଲି ପଡିଛି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ମୋଟ ସିଟରୁ ପ୍ରାୟ 60 ପ୍ରତିଶତ ସିଟ ଖାଲି ପଡିଛି । କେବଳ 11 ହଜାର 745 ସିଟରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
ମାତ୍ରାଧିକ ଭାବେ ସିଟ ଖାଲି ପଡୁଥିବାରୁ 3ଟି ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ କର୍ତ୍ତୃପକ୍ଷ ଆବେଦନ କରିଥିବା ମନ୍ତ୍ରୀ ଗୃହରେ କହିଛନ୍ତି । ରାଜ୍ୟରେ ଥିବା 163 ଟି ଡିପ୍ଲୋମା କଲେଜ ମଧ୍ୟରୁ ଗୋଟିଏ ଇତିମଧ୍ୟରେ ବନ୍ଦ ହୋଇ ଯାଇଥିବା ମନ୍ତ୍ରୀ କହିଛନ୍ତି । ତେବେ କୌଣସି କଲେଜକୁ ଆର୍ଥିକ ସହାୟତା ପାଇଁ ସରକାରଙ୍କ ଯୋଜନା ନଥିବା ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତତ