ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସିଂ ଜରିଆରେ କୋଭିଡ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ କୋଭିଡ଼ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି । ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିହେବ । ତୃତୀୟ ଲହରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍ ରହିଛି । ଗତ କିଛିଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ଼ବଡ଼ ସହରରେ ସକ୍ରିୟ ମାମଲା ସଂଖ୍ୟା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ।"
କୋଭିଡ ରୋଗୀ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଙ୍କା ଥିବା ନାଗରିକଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ସଂପର୍କରେ ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ । Micro Containment Zone ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି । ଏହା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଜୀବିକା ଯେଭଳି ପ୍ରଭାବିତ ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି । ତୃତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ସୂଚନା ମିଳୁଛି । ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଛି । ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ଶଯ୍ୟା ରହିଛି । ଏଥିରୁ ମାତ୍ର ୧୧ ପ୍ରତିଶତ ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ।
ଟିକାକରଣ ଉପରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ୯୨.୭ ପ୍ରତିଶତ ପ୍ରଥମ ଡୋଜ୍ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି । ୧୫ ରୁ ୧୮ ବୟସ୍କ କିଶୋରଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟୀକାକରଣ ହୋଇଛି । ୧୪ ପ୍ରତିଶତ ବୁଷ୍ଟର ଡୋଜ ଟୀକାକରଣ ହୋଇଛି । ବୈଠକରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ, କଟକ ଓ ମୟୂରଭଞ୍ଜର ଜିଲ୍ଲାପାଳ, ଭୁବନେଶ୍ବର ଓ କଟକର ମ୍ୟୁନିସ୍ପାଲ କମିଶନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ