ଭୁବନେଶ୍ବର: ରାଜ୍ୟ ବଜେଟ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । ବଜେଟ ଅଧିବେଶନ ସମ୍ପୂର୍ଣ୍ଣ ପେପରଲେସ ହେବ। ନେଭା ଆପରେ ହେବ ବିଧାନସଭାର ସମସ୍ତ କାର୍ଯ୍ୟ। ସୁରକ୍ଷିତ ରହିବ ଆପରେ ସମସ୍ତ ତଥ୍ୟ। ଏନେଇ କର୍ମଚାରୀଙ୍କୁ ଦିଆଯାଉଛି ସମସ୍ତ ପ୍ରଶିକ୍ଷଣ ଦିଆଯାଉଛି। ସେହିପରି ନେଭା ଆପରେ ରାଜ୍ୟପାଳଙ୍କ ଅଭିଭାଷଣ, ପ୍ରଶ୍ନତ୍ତୋର, ଅର୍ଥନୈତିକ ସର୍ଭେ ରିପୋର୍ଟ, ସିଏଜି ଅଡିଟ ରିପୋର୍ଟ ହେବ ଉପଲବ୍ଧ। ଆପ ଡାଉନଲୋଡ କରି ସମସ୍ତ ତଥ୍ୟ ପାଇପାରିବେ ସର୍ବସାଧାରଣ ବୋଲି ବାଚସ୍ପତି କହିଛନ୍ତି ।
ନେଭା ଆପର ପରିଚାଳନା ପାଇଁ ସମସ୍ତ ବିଧାୟକଙ୍କୁ ଟ୍ରେନିଂ ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି । କେନ୍ଦ୍ର ସରକାରଙ୍କ ଏକ ଟିମ ଆସି ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହାସହ ପୂର୍ବରୁ ଆଇପ୍ୟାଡ୍ ଓ କମ୍ପ୍ୟୁଟର ଦିଆଯାଇଥିବା ବେଳେ ବିଧାନସଭାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସ୍ଥାପନ କାର୍ଯ୍ୟ ଶେଷ ହୋଇଛି।
ତେଣୁ ଚଳିତ ବର୍ଷ ପେପରଲେସ କାର୍ଯ୍ୟ ଦିବସ ହେବାକୁ ଥିବା ବେଳେ ନେଭା ବ୍ୟତିତ୍ ଜନସାଧାରଣଙ୍କୁ କୌଣସି ସୂତ୍ରରୁ ସୂଚନା ମିଳିପାରିବ ନାହିଁ। ଏହାସହ ଆଜି ଠାରୁ ବିଧାନସଭାରେ କୋଭିଡ୍ ଟେଷ୍ଟ କରାଯାଉଛି। ସକାଳ 7 ଟାରୁ ସମସ୍ତ ବିଧାୟକଙ୍କ କୋଭିଡ୍ ପରୀକ୍ଷା ଚାଲିଛି। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ବୋଲି ବାଚସ୍ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ ପ୍ରବେଶ ନିଷେଧ ରହିଥିବା ବେଳେ ନେଗେଟିଭ୍ ଥିବା ବିଧାୟକ ଅଧିବେଶନରେ ସାମିଲ ହୋଇପାରିବେ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ