ଭୁବନେଶ୍ବର: ଥାନାରେ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ । ବିଭିନ୍ନ ଥାନାରେ ଅଭିଯୋଗ କରିଥିବା ୧୯ ଜଣ ଅଭିଯୋଗକାରୀଙ୍କ ସହିତ ଫୋନେ ଯୋଗେ କଥା ହୋଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ।
ମନ୍ତ୍ରୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର ଓ କୁଆଖିଆ ଥାନା, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ଓ କୁଜଙ୍ଗ ଥାନା, ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ପଦ୍ମପୁର ଥାନା, ଗଞ୍ଜାମରଆସ୍କା, ସୋରଡ଼ା ଓ ଦିଗପହଣ୍ଡି ଥାନା, ଖୋର୍ଦ୍ଧାର କ୍ୟାପିଟାଲ୍ ଥାନା, ସୁନ୍ଦରଗଡ଼ର ଟାଉନ୍ ଥାନା,ମୟୂରଭଞ୍ଜର ବାରିପଦା ଟାଉନ୍ ଥାନା, ଅନୁଗୋଳର ଏନ୍ଟିପିସି ଥାନା, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।
ସେହିପରି ବାଲେଶ୍ବରର ସୋର ଥାନା, ପୁରୀର ବ୍ରହ୍ମଗିରି ଥାନା, ଢେଙ୍କାନାଳର ମୋଟାଙ୍ଗ ଥାନା, କେନ୍ଦୁଝରର ଘସିପୁରା ଥାନା, କେନ୍ଦ୍ରାପଡ଼ାର ମହାକାଳପଡ଼ା ଥାନା ଆଦିରେ ବିଭିନ୍ନ କାରଣ ନେଇ ଅବେଦନ ତଥା ଅଭିଯୋଗ କରିଥିବା ୧୯ ଜଣ ଅଭିଯୋଗକାରୀଙ୍କ ସହ କଥା ହୋଇ ମତାମତ ସଂଗ୍ରହ କରିଛନ୍ତି । ଏପରିକି ସେମାନେ ଥାନାରେ ପହଞ୍ଚିବା ପରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା ।
ଅଭିଯୋଗ ଦାଖଲ ସମୟରେ ପୋଲିସ କେତେ ସହଯୋଗ କରିଥିଲେ। ଥାନା କର୍ମଚାରୀ ଲାଞ୍ଚ ମାଗିଥିଲେ ନାଁ ଏବଂ ଥାନାରୁ ଫେରିବା ପରେ ପୋଲିସ୍ ସହଯୋଗ ନେଇ କେତେ ସନ୍ତୁଷ୍ଟ ସେ ବିଷୟରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପଚାରି ବୁଝିଥିଲେ। ଘରୋଇ ଗଣ୍ଡଗୋଳ, ଜିନିଷ ଚୋରି, ଆତ୍ମହତ୍ୟା ମାମଲା, ଚରିତ୍ର ପ୍ରମାଣପତ୍ର ଆଦି ବିଭିନ୍ନ କାରଣ ନେଇ ଏହି ଅଭିଯୋଗକାରୀମାନେ ଥାନାକୁ ଆସିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଗୃହମନ୍ତ୍ରୀ ନିୟମିତ ବିଭିନ୍ନ ଥାନାରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀଙ୍କ ସହ ଟେଲିଫୋନ୍ ଯୋଗେ କଥାହେବା ସହ ସେମାନଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି । ଅନେକ ଅଭିଯୋଗକାରୀ ଥାନାରେ ପୋଲିସ୍ଠାରୁ ଉତ୍ତମ ବ୍ୟବହାର ପାଉଥିବା କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ