ଭୁବନେଶ୍ବର: ଆଜି ବିଧାନସଭା ସମ୍ମୁଖରେ ୧୦ ଦଫା ଦାବି ନେଇ ଗର୍ଜିଲା ଓଡ଼ିଶା ଡ୍ରାଇଭର ମହାସଂଘ । ୩୦ଟି ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ବ ଡ୍ରାଇଭର ସାମିଲ ହୋଇ ଚକାଜାମ ଆନ୍ଦୋଳନ କରିଛନ୍ତି । ସରକାର ଡ୍ରାଇଭରଙ୍କ ଦାବି ପୂରଣ ନକଲେ କଂଗ୍ରେସ ଆନ୍ଦୋଳନରେ ସାମି ହେବ କହିଛନ୍ତି ବରିଷ୍ଠ କଂଗ୍ରେସ ନାତେ ତଥା ବିଧାୟକ ସୁର ରାଉତରାୟ । ଏଥିସହ ସରକାର ପ୍ରତି ଡ୍ରାଇଭରଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ସୁରକ୍ଷା ଓ ଜୀବନ ବୀମା ଯୋଗାଇବାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସମସ୍ତ ଜିଲ୍ଲାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଡ୍ରାଇଭର ମାନେ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଥିଲେ । ଡ୍ରାଇଭର ସଂଘ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୫୫ ବର୍ଷରେ ପେନସନ ଲାଗୁ, ରାସ୍ତାରେ ୩୦କିମି ଭିତରେ ଶୌଚାଳୟ, ରାସ୍ତା ଉପରେ ଡ୍ରାଇଭର ମାନଙ୍କୁ ସୁରକ୍ଷା, ଡ୍ରାଇଭରଙ୍କ ମୃତ୍ୟୁ ହେଲେ ୨୦ଲକ୍ଷ ଇନସ୍ୟୁରାନ୍ସ, ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ମାସିକ ପାରିଶ୍ରମିକ ୨୦ ହଜାର ଓ ଛୋଟଯାନ ଚଳାଉଥିବା ଡ୍ରାଇଭରଙ୍କୁ ୧୫ ହଜାର ପ୍ରଦାନ କରିବାକୁ ଦାବି କରିଛି ।
ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ଡ୍ରାଇଭର ମହାସଂଘର ବିଶାଳ ସମାବେଶ, ୧୦ ଦଫା ନେଇ ଗର୍ଜିଲେ ଡ୍ରାଇଭର
ଏଥିସହ ଦୁର୍ଘଟଣାରେ ଆହତ ହେଲେ ୫ ଲକ୍ଷ ସହାୟତା ରାଶି, ଡ୍ରାଇଭରଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଓ ଡ୍ରାଇଭର ମାନଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ ନେଇ ମଧ୍ୟ ଦାବି କରିଛି ସଂଘ । ଏହି ଆନ୍ଦୋଳନ ପରେ ପରିବହନ ମନ୍ତ୍ରୀ ଏ ନେଇ ଏକ କମିଟି ଗଠନ କରିଛନ୍ତି । ଆସନ୍ତା 3 ମାସ ମଧ୍ୟରେ ଡ୍ରାଇଭର ମାନଙ୍କ ଦାବିକୁ ଅନୁଧ୍ୟାନ କରାଯିବ । ଅନ୍ୟ ରାଜ୍ୟରେ ଡ୍ରାଇଭରଙ୍କୁ କଣ ସୁବିଧା ପ୍ରଦାନ କରୁଛନ୍ତି ସରକାର ସେ ଉପରେ ତର୍ଜମା କରିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ