ଭୁବନେଶ୍ବର: ହାଇଦ୍ରାବାଦ ବୁଲିବାକୁ ଯାଉଛନ୍ତି ସ୍ବାଭିମାନ ଅଞ୍ଚଳର ୫୦ ଜଣ ଓଡ଼ିଆ ଆଦିବାସୀ । ସ୍ବାଭିମାନ ଅଞ୍ଚଳର ୩୦ ଜଣ ଯୁବକ ଓ ୨୦ଜଣ ଯୁବତୀଙ୍କୁ ନେଇ ୭ଦିନ ବୁଲେଇବାକୁ ନେଇଯାଉଛି ସୀମା ସୁରକ୍ଷା ବଳ (BSF) । ସ୍ବାଧୀନତାର ୭୫ବର୍ଷ ଅବସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଜରିଆରେ 13th tribal youth exchange କାର୍ଯ୍ୟକ୍ରମରେ ଏମାନଙ୍କୁ ବୁଲାଇବା ପାଇଁ ନିଆଯାଉଛି । ଆଗାମୀ ୩ ତାରିଖରୁ ୯ ତାରିଖ ଯାଏଁ ୭ ଦିନ ଧରି ତେଲେଙ୍ଗାନା ବୁଲିବେ ୫୦ ଜଣ ଓଡ଼ିଆ ଆଦିବାସୀ ।
![many young tribals on hyderabad tour from swabhiman area of malkangiri with bsf](https://etvbharatimages.akamaized.net/etvbharat/prod-images/od-bbs-02-hydrabad-tour-bsf-avo-7203832_02012022192936_0201f_1641131976_129.jpg)
ବିଭିନ୍ନ ସ୍ଥାନ ବୁଲିବା ସହିତ କର୍ପୋରେଟ ସଂସ୍ଥା ଓ କ୍ୟାରିଅର କାଉନସେଲିଂ ଓ ସାମାଜିକ ମୂଲ୍ୟବୋଧ ଭଳି ତାଲିମ ନେବାର କାର୍ଯକ୍ରମ ରହିଛି । ଏହାସହ ସେଠାରେ ଥିବା CAPF କ୍ୟାମ୍ପ ବୁଲିବା ସହ ସେଠାରେ ସେଲଫ ଡିଫେନ୍ସ ତାଲିମ ନେବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଏସଏଫ ଓ ନେହୁରୁ ଯୁବ କେନ୍ଦ୍ର ସଂଗଠନ ମିଳିତ ଉଦ୍ୟମରେ ଏହି ପ୍ରୟାସ କରାଯାଇଛି । ମାଲକାନଗିରିରୁ ସ୍ବତନ୍ତ୍ର ବସ୍ ଯୋଗେ ଏହି ଯୁବକଯୁବତୀଙ୍କୁ ହାଇଦ୍ରାବାଦ ନିଆଯାଉଛି । ମାଲକାନଗିରି ବିଏସଏଫ ଷ୍ଟେଟ ହେଡ୍କ୍ବାର୍ଟରରୁ DIG ସଞ୍ଜୟ କୁମାର ସିଂ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।
![many young tribals on hyderabad tour from swabhiman area of malkangiri with bsf](https://etvbharatimages.akamaized.net/etvbharat/prod-images/od-bbs-02-hydrabad-tour-bsf-avo-7203832_02012022192936_0201f_1641131976_591.jpg)
ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିଏସଏଫ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ସେଠାକାର ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି । ମାଓ କାର୍ଯ୍ୟକଳାପରେ ସାମିଲ ନହୋଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏହାରି ମଧ୍ୟରେ ଏହି ୫୦ ଜଣ ଓଡ଼ିଆ ଆଦିବାସୀଙ୍କୁ ନେଇ ତେଲେଙ୍ଗାନା ବାହାରିଛି ବିଏସଏଫ । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସମାଜର ବିଭିନ୍ନ ସେବାର ଭାଗିଦାରୀ ହେବାକୁ ପ୍ରୟାସ ଜାରି ରହିଛି ।
![many young tribals on hyderabad tour from swabhiman area of malkangiri with bsf](https://etvbharatimages.akamaized.net/etvbharat/prod-images/od-bbs-02-hydrabad-tour-bsf-avo-7203832_02012022192936_0201f_1641131976_700.jpg)
![many young tribals on hyderabad tour from swabhiman area of malkangiri with bsf](https://etvbharatimages.akamaized.net/etvbharat/prod-images/od-bbs-02-hydrabad-tour-bsf-avo-7203832_02012022192936_0201f_1641131976_992.jpg)
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ