ଭୁବନେଶ୍ବର: ଆଜି(ମଙ୍ଗଳବାର) ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବିରେ ଏହି ଘେରାଉ କରିଛି ଛାତ୍ର କଂଗ୍ରେସ । ସେପଟେ ଛାତ୍ର କଂଗ୍ରେସର କିଛି କର୍ମୀମାନଙ୍କୁ ଅଟକ ରଖିଛି ପୋଲିସ ।
ବିଜୁ ଜନତା ଦଳ ରାଜ୍ୟରେ ଏକ ହିଟଲରୀ ଶାସନ ଚଲାଇଛି । ଏମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ରାଜ୍ୟରେ ମା' ଭଉଣୀଙ୍କୁ ସୁରକ୍ଷା ଦିଆଯାଉନାହିଁ । ସେପଟେ ନ୍ୟାୟ ପାଇଁ ଦାବି କରୁଥିବା ଲୋକଙ୍କୁ ରାଜ୍ୟ ସରକାର ସରକାରୀ ଏଜେଣ୍ଟ ଲଗାଇ ଉଠାଇ ନେଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ର କଂଗ୍ରେସର ସଭାପତି ୟାଶିର ନୱାଜ । ତେବେ ଛାତ୍ର କଂଗ୍ରେସ ମମିତାଙ୍କୁ ନ୍ୟାୟ ଦେବା ସହିତ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ।
ତେବେ ଯେଉଁ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିବ ସେ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି କହିଛି ଛାତ୍ର କଂଗ୍ରେସ । ଏହାସହିତ ରାଜ୍ୟରେ ବିଜେଡ଼ି ଗୁଣ୍ଡାଗିରି ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ