ଭୁବନେଶ୍ବର: ରଜ ପର୍ବରେ ଫିଲ୍ମ ଦେଖିବାର ମଜା ନିଆରା । ଏହି ତିନି ଦିନ ଓଡିସାବାସୀ ନୂଆ ଡ୍ରେସ ପିନ୍ଧି ପିଠା ଖାଇବା ସହ ଫିଲ୍ମ ଦେଖି ମଉଜ ମସ୍ତି କରିଥାନ୍ତି । ପ୍ରତିବର୍ଷ ରଜରେ ଅନେକ ଓଡିଆ ଚଳଚ୍ଚିତ୍ର ବଡ ପରଦାକୁ ଆସିଥାଏ । ସିନେମା ହଲରେ ଲୋକଙ୍କର ଅସମ୍ଭାଳ ଭିଡ ଦେଖିବାକୁ ମିଳେ । ହେଲେ କୋରୋନା ଯୋଗୁଁ ଫିକା ପଡିଛି ସବୁକିଛି । ଲକଡାଉନ ଯୋଗୁଁ ମନୋରଞ୍ଜନ ଜଗତ ବାଧାପ୍ରାପ୍ତ ହୋଇଥିବା ବେଳେ କଟକଣା ଯୋଗୁଁ ଫିଲ୍ମ ହଲ ମଧ୍ୟ ବନ୍ଦ ପଡିଛି ।
ତେବେ ଏହି ଅସମୟରେ ଲୋକମାନଙ୍କୁ ମନୋରଞ୍ଜନ ଯୋଗାଇ ଦେବାକୁ କିଛି ପ୍ରଡ୍ୟୁସର ଡିଜିଟାଲ ମାଧ୍ୟମର ସାହାରା ନେଇଛନ୍ତି। ସେଥି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଶ୍ରୀଧର ମାର୍ଥା । ରଜ ବଜାରରେ ନିଜର ଫିଲ୍ମ 'ଦିଲ ମୋର ମାନେନା' ରିଲିଜ କରିବାକୁ ସବୁ ପ୍ରକାର କାର୍ଯ୍ୟ ଶେଷ କରିଥିଲେ । ତେବେ କୋରୋନା ପାଇଁ ତାହା ନ ହୋଇ ପାରିବାରୁ ସେ ଦର୍ଶକଙ୍କୁ ୟୁଟ୍ୟୁବ ମାଧ୍ୟମରେ ମନୋରଞ୍ଜନ ଦେବାକୁ ଚେଷ୍ଟା କରିଛନ୍ତି।
ଆଜି ତାଙ୍କ ଏହି ଫିଲ୍ମ ର ଗୋଟିଏ ଗୀତ 'ଝୁଲ ବେବି ଝୁଲ ,ବାଆ ପାଣି ଖାଇ ଫୁଲ' ରିଲିଜ କରିଛନ୍ତି । ଯେଉଁଥିରେ ଅଭିନୟ କରିଛନ୍ତି ସ୍ବରାଜ ଓ ଶିବାନୀ । ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଚଣ୍ଡି ପରିଜା । ଯାହାକୁ ଦର୍ଶକମାନେ ଘରେ ବସି ନିଜ ହାତ ପାହାନ୍ତାରେ ଆନନ୍ଦ ଲାଭ କରିପାରିବେ ବୋଲି କହିଛନ୍ତି। ତେବେ ଯେତେ ଶୀଘ୍ର କୋରୋନା ଦେଶରୁ ହଟିବ ସେତେ ଶୀଘ୍ର ଫିଲ୍ମ ହଲରେ ରିଲିଜ ହେବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ