ଭୁବନେଶ୍ବର: ଅଭିଯୋଗ, ଶୁଣାଣି , ଫଇସଲା, ସବୁକିଛି ଅନ୍ ଦ ସ୍ପଟ୍ । କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ ରାଜଧାନୀରେ ଚାଲିଛି କଙ୍ଗାରୁ କୋର୍ଟ । କଙ୍ଗାରୁ କୋର୍ଟରେ ଏକ ଘରୋଇ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ଘଟଣା ଚର୍ଚ୍ଚାକୁ ଆସିଛି । ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ କଣ ରହିବ ତା ଉପରେ ନଜର ।
ଏ ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ ରାଜଧାନୀର ମଞ୍ଚେଶ୍ବର ଥାନା ଅଧିନରେ ଥିବା ଧିରକୁଟ ବସ୍ତିର ଘଟଣା । ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକଙ୍କୁ ମାଡ଼ ମାରିବା ସହ ଜୋର ଜବରଦସ୍ତ ଲଣ୍ଡା କରି ଚୂନ କଳା ବୋଳି ବସ୍ତିରେ ବୁଲାଇଛନ୍ତି ଯୁବକ । ସ୍ତ୍ରୀ ଯେତେ କାକୁତି ମିନତି ହେଲେ ବି କେହି ଶୁଣୁନାହାଁନ୍ତି । ମହିଳାଙ୍କୁ ବି ମାଡ଼ ମାରିବା ସହ ଟଣାଓଟରା କରି ସର୍ବସମ୍ମୁଖରେ ଉଲଗ୍ନ କରିବାକୁ ଉଦ୍ୟମ କରାଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ହେଲେ କଙ୍ଗାରୁ କୋର୍ଟ ଚଳାଉଥିବା ଯୁବକମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ ।
ସେପଟେ ମହିଳା କହିଛନ୍ତି ଯୋଜନା ମୁତାବକ ତାଙ୍କ ସ୍ବାମୀଙ୍କୁ ମାଡ଼ ମରାଯାଇଛି । ତେବେ ବିନା ଦୋଷରେ ମାଡ ଖାଇବା ଓ ଏଭଳି ଅଶୋଭନୀୟ ଆଚରଣର ଶିକାର ହୋଇଥିବାରୁ ସେ କୋର୍ଟର ଦ୍ବାରସ୍ଥ ହେବେ । ଅନ୍ୟପଟେ ପୋଲିସ ଅଭିଯୁକ୍ତଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବେଳେ ପୋଲିସକୁ ବି କାଠ ଗଡାକୁ ଟାଣିବେ ବୋଲି ସେ କହିଛନ୍ତି । ଏହି ଘଟଣାକୁ ନେଇ ବରିଷ୍ଠ ଆଇନଜୀବୀ ବନ ମହାନ୍ତି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । କମିଶନରେଟ ପୋଲିସ ଅଞ୍ଚଳରେ ଏଭଳି ଘଟଣାକୁ ସେ ନିନ୍ଦା କରିଛନ୍ତି ।
ତେବେ ଏ ଘଟଣା ଥିଲା ଗତ ଶନିବାର ଦିନର । ଅଭିଯୁକ୍ତଙ୍କ ଭିତରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାକି ୪ ଜଣ ଫେରାର ଅଛନ୍ତି । ଏବେ କଙ୍ଗାରୁ କୋର୍ଟର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ହେଲେ ଏଠି ଏବେ ବଡ ପ୍ରଶ୍ନ ? ପୋଲିସ କାହିଁକି ଚୁପ୍? କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ଥିବା ଯୁବକଙ୍କ ବିରଧରେ କେବେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ତାହା ଆଗାମୀ ଦିନରେ ଜଣାପଡିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ