ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ଭୋଟ ଗ୍ରହଣ ହୋଇଛି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଥମେ ଭୋଟ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । କିଡନୀ ରୋଗରୁ ସୁସ୍ଥ ହୋଇଥିବା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଭୋଟ ଦେଇଥିବା ବେଳେ ଜେଲରୁ ଆସି ଭୋଟ ଦେଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ପୂର୍ବାହ୍ନ 10 ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ମତଦାନ ଜାରୀ ରହିବ । ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ ଦେଉଛନ୍ତି । ଅସୁସ୍ଥତା କାରଣରୁ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ହସ୍ପିଟାଲରୁ ଭୋଟ ଦେଇଛନ୍ତି । ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ଆସି ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିତୁ ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଭୋଟ ଦେଇଛନ୍ତି । ସେହିପରି ଜେଲରେ ଥିବା ବିଜେଡିର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅପରାହ୍ନରେ ଭୋଟ ଦେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଓଡ଼ିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ ଦେଇଛନ୍ତି । ଓଡ଼ିଶାରେ ଭୋଟ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ବିଜେଡି ଦଳର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଜାରି କରିଛି । ଏହା ସହ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଦ୍ରୌପଦୀଙ୍କୁ ଭୋଟ ଦେବାକୁ ମନାଇଥିଲେ ନବୀନ । ସେହିପରି ବିଜେପି ସାଂସଦ ଓ ବିଧାୟକମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ ।
ସେପଟେ କଂଗ୍ରେସ ସାଂସଦ ଓ ବିଧାୟକ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା ନେଇ ଘୋଷଣା କରିଛନ୍ତି । ଓଡ଼ିଶାରେ ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ 149 ରହିଥିବା ବେଳେ ସାଂସଦଙ୍କ ଭୋଟ ମୂଲ୍ୟ 700 ରହିଛି ।
ଇଟିଭି ଭାରତ, ଭୁବନେଶ୍ବର