ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ହିରୋ ସୁପର କପର ପ୍ରଥମ କ୍ବାଲିଫାଇଂ ମ୍ୟାଚ ଖେଳିବାକୁ ପଡିଆକୁ ଆସିଲେନି ଖେଳାଳି । ଗତକାଲି(ଶନିବାର) ଖେଳା ଯିବାକୁ ଥିବାବେଳେ ସେଥିରୁ ମିନର୍ଭା ପଞ୍ଜାବ ଓହରି ଯାଇଥିଲା । ଫଳରେ ମ୍ୟାଚ କମିଶନର ପୁନେ ଦଳକୁ ୱାକଓଭର ଦେଇଥିଲେ । ସେହିପରି ଆଜି(ରବିବାର) ଖେଳା ଯିବାକୁ ଥିବା ଦୁଇଟି ମ୍ୟାଚ ପାଇଁ ଗୋକୁଳମ କେରଳ ଓ ଆଇଜଲ ପଡିଆକୁ ଆସି ନଥିଲେ । ଯାହାଫଳରେ ଆଜି କୌଣସି ମ୍ୟାଚ ଖେଳାଯାଇ ପାରିନଥିଲା ।
ଗତକାଲି(ଶନିବାର) ପରି ଆଜି ମଧ୍ୟ ଦିଲ୍ଲୀ ଡାଇନୋମ୍ସ ଓ ଚେନ୍ନିୟାନ ଦଳକୁ କମିଶନର ୱାକଓଭର ଦେଇଥିଲେ । ଫଳରେ ଦୁଇ ଦଳ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଉନ୍ନିତ ହୋଇଥିଲେ । ସୂଚନାଯୋଗ୍ୟ କି ହିରୋ ସୁପର କପ ଖେଳାଯିବାକୁ ସ୍ଥିର ହୋଇଥିବା ଦଳ ଗୁଡିକ ମଧ୍ୟରୁ ଆଇ ଲିଗର 7ଟି ଦଳ ଏହି ମ୍ୟାଚ ନ ଖେଳିବା ନେଇ ଘୋଷଣା କରିଥିଲେ ।
ତେବେ ଏହାର ସମାଧାନର ରାସ୍ତା ବାହାରିଯିବ ବୋଲି ଏଆଇଏଫଏଫ ଆଶା ରଖିଥିଲେ ମଧ୍ୟ ତାହା ହୋଇ ନ ଥିବା ଜଣାପଡିଛି । ଫଳରେ ଭବିଷ୍ୟତରେ କୌଣସି ଖେଳ ହୋଇପାରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକଟ ହୋଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ