ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ସରଗରମ ପୌର ନିର୍ବାଚନ । ପୌର ନିର୍ବାଚନରେ ଶାସକ ଦଳର ହେଭିୱେଟ ନେତାମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସେପଟେ ବିରୋଧୀ ବିଜେପି ପକ୍ଷରୁ ମଧ୍ୟ ହେଭିୱେଟମାନେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ସଜ ହୋଇ ରହିଛନ୍ତି । ଏହାକୁ ନେଇ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ସୂଚନା ଦେଇଛନ୍ତି ।
ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବା ହେତୁ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ଧର୍ମେନ୍ଦ୍ରଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ପୌର ନିର୍ବାଚନ ପାଇଁ ପ୍ରଚାର କରିବେ । ତେବେ ଏଥିପାଇଁ କୌଣସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇନାହିଁ ।
ଏହାଛଡ଼ା ବିଜେପିର ଯେଉଁ ନେତୃତ୍ୱ ମଣ୍ଡଳୀ ରହିଛନ୍ତି ସେମାନେ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ । ଯେଉଁ ଶାସକ ଦଳର ନେତାଏ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସେମାନେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛି ବିଜେପି । ପରି, ମମିତା ହତ୍ୟାକାଣ୍ଡରେ ସେମାନେ ଲିପ୍ତ ରହିଥିବା ବେଳେ ଏବେ ମେୟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଭୁବନେଶ୍ୱରବାସୀ ସବୁବେଳେ ସ୍ୱଚ୍ଛତା ଉପରେ ନଜର ରଖିଛନ୍ତି । ଯେଉଁମାନେ 22ବର୍ଷରେ 22 ପ୍ରକାର ଦୁର୍ନୀତିରେ ଲିପ୍ତ ଅଛନ୍ତି, ଏଥର ବିଏମସି ନିର୍ବାଚନରେ ଭୁବନେଶ୍ବରବାସୀ ଉଚିତ ଜବାବ ଦେବେ ବୋଲି କହିଛନ୍ତି ବାବୁ ସିଂ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ