ଭୁବନେଶ୍ବର: ଓଡିଶାରେ ଚାରି ଅଙ୍କ ଛୁଇଁଛି ମହାମାରୀ । ଦିନକୁ ଦିନ ସଂକ୍ରମଣ ବ୍ୟାପିବାକୁ ନେଇ ଲୋକେ ଏକ ପ୍ରକାର ଆତଙ୍କିତ ରହିଛନ୍ତି । ବର୍ଷ ଆରମ୍ଭରୁ କୋରୋନାର ଏଭଳି ପ୍ରସାରକୁ ରୋକିବାକୁ ରାଜ୍ୟ ଓ କେନ୍ଦ୍ରସ୍ତରରେ ଘନ ଘନ ବୈଠକ ବସୁଥିବାବେଳେ ସଂକ୍ରମଣ ବୃଦ୍ଧି ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆମ ରାଜ୍ୟ ଭଳି ଅନ୍ୟ ରାଜ୍ୟରେ ମଧ୍ୟ ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି । ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ସ୍ଥିତିକୁ ଲକ୍ଷ୍ୟ କଲେ ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ସଂକ୍ରମଣ ବଢିବାର ଆଶଙ୍କା ରହିଛି ।
ରାଜ୍ୟରେ କୋରୋନାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ସଂକ୍ରମଣ ଚେନ୍ ବ୍ରେକ୍ କରିବାକୁ ଉଦ୍ୟମ କରାଯାଉଛି । ଯଦିଓ ଏଥିରେ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା କମ୍, ତଥାପି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ ମହଜୁଦ ରଖାଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢାଇବା ସହ ଟେଷ୍ଟିଂ, ଟ୍ରାକିଂ ଓ ଟୀକାକରଣକୁ ଗୁରୁତ୍ୱ ଦେଉଛି ସ୍ବାସ୍ଥ୍ୟ ବିଭାଗ । ଦୈନିକ ୬୦-୭୦ ହଜାର ଟେଷ୍ଟ କରାଯାଉଛି ।
ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ମାସ୍କ ପିନ୍ଧିବା ଏବଂ ସମସ୍ତ କଟକଣା ପାଳନ କରିବା ଜରୁରୀ । ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ମହାମାରୀର ମୁକାବିଲା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଦ୍ବିତୀୟ ଲହର ସମୟରେ ଓଡିଶାରେ ଯେଉଁଭଳି ଭିତ୍ତିଭୂମି ରହିଥିଲା ଏ ଲହରରେ ମଧ୍ୟ ତାହା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ବିଜୟ ମହାପାତ୍ର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ