ଭୁବନେଶ୍ବର: କୋଭିଡ ସଂକ୍ରମଣର ପରବର୍ତ୍ତୀ ସ୍ବାସ୍ଥ୍ୟର ଯତ୍ନ। ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବା ସହ ଅନ୍ୟପଟେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ତେବେ କୋଭିଡ ସଂକ୍ରମଣ ହୋଇ ଠିକ ହେବା ପରେ କିପରି ନେବେ ସ୍ବାସ୍ଥ୍ୟର ଯତ୍ନ ।
1. ମାସ୍କ ପିନ୍ଧିବା ଜାରି ରଖନ୍ତୁ
ନାକ ଓ ପାଟିକୁ ଭଲ ଭାବରେ ଢାଙ୍କି ରଖୁଥିବା ମାସ୍କ ହିଁ ପିନ୍ଧିବା ଅଭ୍ୟାସ କରନ୍ତୁ। କପଡା ମାସ୍କ ବ୍ୟବହାର କରୁଥିଲେ ପ୍ରତିଦିନ ମାସ୍କକୁ ସାବୁନରେ ସଫା କରି ଖରାରେ ଭଲ ଭାବରେ 5 ରୁ 6 ଘଣ୍ଟା ଶୁଖାଇ ପୁଣି ଥରେ ବ୍ୟବହାର କରନ୍ତୁ।

2. ଭିଡ଼ ଠାରୁ ଦୂରେଇ ରୁହନ୍ତୁ
2 ରୁ 6 ମିଟର ଦୂରତା ବଜାୟ ରଖନ୍ତୁ। ଘରେ ରହିବା ବେଳେ ମଧ୍ୟ ସାମାଜିକ ଦୂରତା ବଜାୟ କରନ୍ତୁ। ଏହାସହ ଅଫିସ ହେଉ ଅବା ବଜାର ସବୁଠାରେ ସାମାଜିକ ଦୂରତା ମାନି ଚଳନ୍ତୁ।
3. ବାରମ୍ବାର ସାବୁନରେ ହାତ ଧୁଅନ୍ତୁ
ଅନ୍ୟଜଣେ ବ୍ୟବହାର କରିଥିବା ଜିନିଷକୁ ଛୁଇଁବା ପରେ ଭଲ ଭାବରେ ସାବୁନରେ ହାତ ଧୋଇବା ଆବଶ୍ୟକ।
ଖାଦ୍ୟ ପାନୀୟ

କୋଭିଡରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଅତି ଦୁର୍ବଳ ହୋଇଯାଇଥାନ୍ତି। ସେମାନଙ୍କର ସ୍ବାଦ ବାରିବା ଶକ୍ତି , ଘ୍ରାଣ ଶକ୍ତି, ହଜମ ଶକ୍ତି ଆଦି ଅତି ମାତ୍ରାରେ କମିଯାଇଥାଏ। ତେଣୁ ସହଜରେ ହଜମ ହେଉଥିବା ପୁଷ୍ଟିକର ଖାଦ୍ୟ ହିଁ ଖାଇବା ଆବଶ୍ୟକ। ଦିନକୁ 7 ରୁ 8 ଗ୍ଲାସ ପାଣି ପିଇବା ଜରୁରୀ। ଏହାସହ ଚା, କଫି, କାଢା ଆଦି ଗରମ ପାଣି ଦେହ ପାଇଁ ଉପଯୋଗୀ। ଜଳଖିଆ ଭାବରେ ସୁଜି, ଚୁଡ଼ା ଉପମା, ରୁଟି ବା ପରଟା, ଗଜା ମୁଗ, ଫଳ, କ୍ଷୀର ଦୈନିକ ଏକ ଗ୍ଲାସ ପିଇବା ଆବଶ୍ୟକ। ରାତି ଖାଦ୍ୟ ମଧ୍ୟାହ୍ନ ଭୋଜନ ଠାରୁ ହାଲକା ହେବା ଜରୁରୀ। ଫ୍ରିଜରେ ଥିବା ଅତ୍ୟଧିକ ଥଣ୍ଡା ଖାଦ୍ୟ ଖାଇବା ଅନୁଚିତ୍।

ବିଶ୍ରାମ
ଦିନରେ ଖାଇବା ପରେ ଏକ ଘଣ୍ଟା ଓ ରାତିରେ 5 ରୁ 6 ଘଣ୍ଟା ଶୋଇବା ଆବଶ୍ୟକ। ଶୋଇବା ସମୟରେ କଡ ମାଡି ଶୋଇବା ଆବଶ୍ୟକ। ଏହା ଦ୍ବାରା ଶ୍ବାସକ୍ରିୟାରେ ସହଜ ହୋଇଥାଏ।
ବ୍ୟାୟାମ ଆସନ, ପ୍ରାଣାୟମ
କୋରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷ କରି ଯେଉଁମାନେ ଭେଣ୍ଟିଲେଟରରେ କିମ୍ବା ଅକ୍ସିଜେନ ସହାୟତାରେ ଥିଲେ ସେମାନେ ପରବର୍ତ୍ତୀ ସମୟରେ ଶ୍ବାସକ୍ରିୟାକୁ ସ୍ବାଭାବିକ ରଖିବା ପାଇଁ ଶ୍ବାସକ୍ରିୟା ସମ୍ପର୍କିତ ବ୍ୟାୟାମ କରିବା ନିହାତି ଆବଶ୍ୟକ। ଯେପରି କି ପ୍ରାଣାୟମ, କପାଳଘାତି, ସାଧାରଣ ଶ୍ବାସକ୍ରିୟା ସମ୍ପର୍କିତ ବ୍ୟାୟାମ ।

କୋଭିଡ ପରେ କିଛି ସାବଧାନତା
ଧୂଳି, ଧୂଆଁ ଓ କୁହୁଡି ଠାରୁ ଦୂରେଇ ରୁହନ୍ତୁ। ଧୂମ୍ରପାନ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ନିହାତି ଜରୁରୀ ନହେଲେ ବାହାରକୁ ଯାଆନ୍ତୁ ନାହିଁ। ବସ, ଟ୍ରେନ ଭଳି ସର୍ବସାଧରଣ ପରିବହନ ଯାନ ବ୍ୟବହାର କରନ୍ତୁ ନାହିଁ। ଶୀତଦିନରେ ଉଷୁମ ପାଣିରେ ଗାଧାନ୍ତୁ ।
କୋରୋନା ପରର ଫଲୋ ଅଫ
1. ଡାକ୍ତରଖାନାରୁ ଡିସଚାର୍ଜ ହେବାର 7 ରୁ 10 ଦିନରେ ସେହି ଡକ୍ତରଖାନାରେ ଆଉ ଥରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ।
2. ଡିସଚାର୍ଜର 4 ସପ୍ତାହ ପରେ ନିକଟସ୍ଥ ଡାକ୍ତରଖାନାରେ ଚେକଅପ୍ କରନ୍ତୁ ।
3. 12 ସପ୍ତାହ ପରେ ନିକଟସ୍ଥ ଡାକ୍ତରଖାନାରେ ଆଉଥରେ ଚେକଅପ୍ କରାଇ ନିଅନ୍ତୁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ