ଭୁବନେଶ୍ବର: ଓଡ଼ିଶାରେ ଜଣାଶୁଣା କୃଷକ ନେତା ରାକେଶ ଟିକାୟତ । ଆଜି (ଶୁକ୍ରବାର) ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ରାକେଶଙ୍କୁ ସ୍ୱାଗତ କରିଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଯାଜପୁର ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା କୃଷକ ମହାପଞ୍ଚାୟତରେ ଯୋଗଦେବେ ରାକେଶ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସମାଧାନର ବାଟ ବାହାରିନି । କେନ୍ଦ୍ର ସରକାର କୃଷି ବିଲ୍ ପ୍ରତ୍ୟାହାର କରିନାହାଁନ୍ତି । ତେଣୁ ସରକାରଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ କୃଷକ ମହାପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ମହାପଞ୍ଚାୟତରେ କୃଷକ ନେତା ରାକେଶଙ୍କ ସମେତ ଦେଶର ବହୁ ଚାଷୀ ନେତା ସାମିଲ ହୋଇଛନ୍ତି ।
ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଆଜି ଓଡ଼ିଶାରେ ଚାଷୀଙ୍କ ମହାପଞ୍ଚାୟତ ଆୟୋଜନ ହୋଇଛି । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।
ଦିଲ୍ଲୀରୁ ଓଡ଼ିଶା ଭାୟା ବେଙ୍ଗାଲ ଦେଇ ଭୁବନେଶ୍ୱରରେ ପହଁଚିଛନ୍ତି ରାକେଶ । ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ପ୍ରଚାର ପରେ ଏବେ ଓଡ଼ିଶାରେ ପହଞ୍ଚିଛନ୍ତି ରାକେଶ । ଆଜି ଅପରାହ୍ନରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରିଛନ୍ତି ଟିକାୟତ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ