ଭୁବନେଶ୍ବର: ଆଜି ବ୍ଲକ ଅଧ୍ୟକ୍ଷ(block chairman post) ନିର୍ବାଚନ । ରାଜ୍ୟର ସବୁ ପଞ୍ଚାୟତ ସମିତି ଆଜି ନୂଆ ଅଧ୍ୟକ୍ଷ ପାଇବେ । ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ । ଏନେଇ ଚାରିଆଡେ ରାଜନୀତି ସରଗରମ୍ ରହିଛି । ବ୍ଲକ ଦଖଲ କରିବାକୁ ସମସ୍ତ ରାଜନୈତିକ ଜୋରଦାର୍ କସରତ କରିଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ ଅଜ୍ଞାତବାସରେ ଥିବା ସମିତି ସଦସ୍ୟମାନେ ଆଜି ନିଜ ନିଜ ଅଞ୍ଚଳକୁ ଫେରିଥିବା ଜଣାପଡିଛି ।
ଆଜି ଦିନ ସାଢେ ୧୦ଟା ରୁ ସାଢେ ୧୧ଟା ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ । ସାଢେ ୧୧ଟାରୁ ସାଢେ ୧୨ଟା ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ରହିବ । ଯଦି ଏକାଧିକ ପ୍ରାର୍ଥୀ ଥିବେ ତେବେ ସାଢେ ୧ଟାରୁ ୪ଟା ଭିତରେ ନିର୍ବାଚନ ହେବ । ସେହିପରି ଆସନ୍ତାକାଲି(ରବିବାର) ଜିଲ୍ଲା ପରିଷଦ ସଭାପତି ପାଇଁ ନିର୍ବାଚନ ହେବ ।