ଭୁବନେଶ୍ବର: ଆମିଷ ଖାଉଥିବା ଲୋକେ ପ୍ରାୟତଃ ଅଣ୍ଡା ଖାଇବାକୁ ଭଲ ପାଇଥାନ୍ତି । ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଉପକାରୀ ଖାଦ୍ୟ । ଏଥିରେ ଫସ୍ଫରସ୍, ଭିଟାମିନ୍, ପ୍ରୋଟିନ୍, ସୋଡିୟମ୍, କାର୍ବୋହାଇଡ୍ରେଡ୍, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ପରି ଅନେକ ତତ୍ତ୍ବ ରହିଛି । ମାଂସପେଶୀ ତିଆରିରେ ଅଣ୍ଡାକୁ ସର୍ବୋକୃଷ୍ଟ ଖାଦ୍ୟ ବୋଲି କୁହାଯାଏ । ସେଥିପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ସ୍କୁଲରେ ଦିଆଯାଉଥିବା ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଉଛନ୍ତି।
ସେପଟେ କିନ୍ତୁ ଅଣ୍ଡା ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ରାଜ୍ୟ ସରକାରଙ୍କ କୃଷି ବିଭାଗ କୁକୁଡା ଚାଷ ଓ ଅଣ୍ଡା ଉତ୍ପାଦନ ପାଇଁ ଅନେକ ଯୋଜନା କରିଛନ୍ତି । 1600 ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଦ୍ଧ ବ୍ୟବସାୟ ପଦ୍ଧତିରେ ଅଣ୍ଡାଦିଆ କୁକୁଡା ପ୍ରଦାନ କରିବା ସହ ସାଧାରଣ ମହିଳାଙ୍କ ପାଇଁ ଅଣ୍ଡା ଉତ୍ପାଦନ କରିବାରେ 40 ପ୍ରତିଶତ ରିହାତିର ଯୋଜନା ପ୍ରସ୍ତୁତ କରିଥିବା ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାରଙ୍କ କୃଷି ବିଭାଗ । ହେଲେ ଏତେ ସବୁ ଯୋଜନା ପରେ ବି ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ର ଉପରେ ନିର୍ଭରଶୀଳ ଓଡିଶା ।
ଓଡିଶାରେ ଦୈନିକ 85 ଲକ୍ଷ ଅଣ୍ଡାର ଆବଶ୍ୟକ ହେଉଥିବାବେଳେ କେବଳ 60 ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି । ତେବେ ବାକି 25 ଲକ୍ଷ ଅଣ୍ଡା ପାଇଁ ଓଡିଶା ଆନ୍ଧ୍ରକୁ ଭରସା କରୁଛି ବୋଲି କହିଛନ୍ତି ଅଲ ଓଡିଶା ଲେୟର ଫାର୍ମସ ଆସୋସିଏସନର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ।
ସେ ଏହା ମଧ୍ୟ କହିଛନ୍ତି ଅଣ୍ଡା ଶିଳ୍ପକୁ ନେଇ ଓୟୁଏଟି କେବଳ ଗବେଷଣା କରୁଛି । ହେଲେ ଗବେଷଣା କୌଣସି ଫଳପ୍ରଦ ନୁହେଁ । ବର୍ତ୍ତମାନ ସୁଦ୍ଧା ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଅଣ୍ଡା ବ୍ୟବସାୟୀଙ୍କୁ ସରକାର ସହାୟତା ପାଇ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି ସହାୟତା ମିଳିନାହିଁ । ଯାହାକୁ ନେଇ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଓଡିଶା ଲୋକେ ଖାଉଥିବା ଅଣ୍ଡାର ମୂଲ୍ୟ ଆନ୍ଧ୍ର ପ୍ରଦେଶ ନିର୍ଦ୍ଧାରିତ କରୁଛି।
ଅପରପକ୍ଷେ ଅଣ୍ଡା ଉତ୍ପାଦନରେ ଓଡିଶା ଅନେକାଂଶରେ ଆତ୍ମନିର୍ଭରଶୀଳ ହେବା ସହ ବର୍ତ୍ତମା ଅଣ୍ଡା ଉତ୍ପାଦନରେ 11ତମ ସ୍ଥାନରେ ଅଛି। ଏଥିସହିତ ଚାଷୀକୁ ସୁଲଭ ମୂଲ୍ୟରେ ଚିଆଁ ଯୋଗାଇବା ପାଇଁ 48ଟି ଉତ୍ପାଦନ କେନ୍ଦ୍ର ରହିଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ଗତ ଶୁକ୍ରବାର ବିଶ୍ବ ଅଣ୍ଡା ଦିବସ ଅବସରରେ ଅଣ୍ଡା ଶିଳ୍ପକୁ ନେଇ କୁକୁଡା ଚାଷୀ ଓ ଅଣ୍ଡା ଶିଳ୍ପ କେତେ ଲାଭବାନ ହୋଇଛନ୍ତି ସେ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମୀକ୍ଷା ହୋଇଥିଲା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ