ଭୁବନେଶ୍ବର: ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳର ବିକାଶ ହେବାରେ ଲାଗିଛି । ଏହାସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ନୂତନ ବୈଷୟିକ ଜ୍ଞାନକୁ ବ୍ୟବହାର କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ଲାଗି ପରାମର୍ଶ ଦେଇଛନ୍ତି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ।
ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସୂଚନା ଅଧିକାରୀ ମାନେ ସବିଶେଷ ତଥ୍ୟ ସଂଗ୍ରହ କରିବେ । ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କ୍ରମେ ସଫଳ କାହାଣୀ ପ୍ରସ୍ତୁତି କରିବେ ।
ଏହା ସହକୁ ଆଧୁନିକ ସୂଚନା-ପ୍ରଯୁକ୍ତି ଉପକରଣର ବ୍ୟବହାର ଆପଣେଇବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଲୋକ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାରଣ ଉପରେ ସୂଚନା ଅଧିକାରୀମାନେ ଗୁରୁତ୍ବ ଦେବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ କାର୍ଯ୍ୟକୁ ଆଖିରେ ରଖି ସମ୍ବାଦ ପରିବେଷଣ ଏବଂ ବିଭାଗକୁ କ୍ରିୟାଶୀଳ କରିବାରେ ସୂଚନା ଅଧିକାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।
ବିଗତ ଦିନର ଅଭିଜ୍ଞତାକୁ ନେଇ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ ଅନୁଯାୟୀ ସୂଚନା ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶାପ୍ରକାଶ କରିଛନ୍ତି । ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ