ଭୁବନେଶ୍ବର: ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ପରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ୟାର୍ଡରେ ଗତକାଲି (ସୋମବାର) ରାତିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ସ୍ୱାଭାବିକ ହୋଇପାରିନି ରେଳ ଚଳାଚଳ । ୨ଟି ଲାଇନ ବ୍ଲକ ହୋଇଥିବା ଯୋଗୁଁ ପ୍ରାୟ ଆଜି ଦିନକ ପାଇଁ ୬ଟି ଯାତ୍ରୀବାହୀ ଟ୍ରେନ ବାତିଲ କରିଛି ପୂର୍ବତଟ ରେଳପଥ । ଆଜି ପାଇଁ ଉଭୟ ପଟୁ ୬ଟି ଯାତ୍ରୀବାହୀ ଟ୍ରେନ୍ର ଚଳାଚଳକୁ ବାତିଲ କରିଛି ପୂର୍ବତଟ ରେଳ ବିଭାଗ । ଆଜି ଦିନକ ପାଇଁ ବାତିଲ ହୋଇଥିବା ଯାତ୍ରୀବାହୀ ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗୀର, ପୁରୀ-ପାରାଦ୍ବୀପ ଟ୍ରେନ । ସେହିପରି ପୁରୀ-ବଡ଼ବିଲ, ତାଳଚେର-ପୁରୀ, କଟକ-ପାରାଦୀପ ପାସେଞ୍ଜର ଟ୍ରେନ ମଧ୍ୟ ବାତିଲ ହୋଇଛି ।
ଗତକାଲି ରାତି ପ୍ରାୟ ସାଢେ ଆଠଟାରେ ଭୁବନେଶ୍ୱର ଷ୍ଟେସନ ପାଖରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଥିଲା । ଟ୍ରେନ୍ର ୫ଟି ବଗି ଟ୍ରାକ୍ରୁ ତଳକୁ ଖସିଯାଇଥିଲା । ତେବେ କେଉଁ କାରଣରୁ ବଗିଗୁଡ଼ିକ ଲାଇନଚ୍ୟୁତ ହେଲା, ତାହା ଜଣାପଡ଼ିନାହିଁ । ଟ୍ରେନ ଲାଇନଚ୍ୟୁତ କାରଣରୁ ରେଳ ଚଳାଚଳ ଆଂଶିକ ବାଧାପ୍ରାପ୍ତ ହୋଇଥିଲା । ଅଘଟଣ ଯୋଗୁଁ ଜନଶତାବ୍ଦୀ, ପୁରୀ-ଦୁର୍ଗ, ତପସ୍ବିନୀ, ପୁରୀ-ଗାନ୍ଧୀଧାମ ଓ ପୁରୀ-ହାଓଡ଼ା ଏକ୍ସପ୍ରେସ ସମେତ ପ୍ରାୟ ୧୬ଟି ଟ୍ରେନ ଷ୍ଟେସନ ବାହାରେ ଅଟକି ରହିଛି । ଫଳରେ ଯାତ୍ରୀ ଦହଗଞ୍ଜ ହୋଇଥିଲେ ।
ଏହା ବି ପଢନ୍ତୁ...ଭୁବନେଶ୍ୱରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ଆଜି ବି ରେଳ ଚଳାଚଳ ସ୍ୱାଭାବିକ ହୋଇ ପାରି ନ ଥିବାରୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ୬ଟି ଟ୍ରେନ୍ ଚଳାଚଳକୁ ବାତିଲା କରାଯାଇଥିବା ନେଇ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର