ଭୁବନେଶ୍ବର: ରାଜଧାନୀର ଗଳିକନ୍ଦିରେ ବେକାବୁ ଅପରାଧ, କେତେବେଳେ ବନ୍ଧୁକରୁ ଗୁଳି ଫୁଟୁଛି ତ ଆଉ କେତେବେଳେ ଛୁରାମାଡ । ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅପରାଧି ମାନେ ବେଫିକର ହୋଇ ଖୁଲମଖୁଲା ବୁଲୁଛନ୍ତି । କିନ୍ତୁ ଏଥିରେ ରୋକ ଲଗାଇବାରେ ପୋଲିସ ବିଫଳ । ଜେଲଫେରନ୍ତା ଅପରାଧି ଅପରାଧ ଘଟାଉଥିବା ବେଳେ କ୍ରାଇମ କଣ୍ଟ୍ରୋଲକୁ ନେଇ ସିନିୟର ଅଫିସରଙ୍କ ଚିନ୍ତା ବଢିଛି । ତେଣୁ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କ୍ରିମିନାଲଙ୍କୁ ଟ୍ରାକ ପାଇଁ ଡିଜିଟାଲ ସିଷ୍ଟମ ଇ-ପ୍ରିଜନ ଆପ ଆରମ୍ଭ ହୋଇଛି । ଏହା ଜରିଆରେ ଜେଲ ଫେରନ୍ତାଙ୍କୁ ଉପରେ ରଖାଯିବ ନଜର । ଏନେଇ ନୂତନ ଇ-ପ୍ରିଜନ ଆପର ତାଲିମ ନେଲା ପୋଲିସ । ତୁରନ୍ତ ଥାନା ସ୍ଥରରେ ଲାଗୁ କରି ଅପରାଧିଙ୍କ ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ । ଡିସିପି ଅଫିସରେ ସବୁ ଥାନାର ଏସଆଇଙ୍କୁ ଏହି ତାଲିମ ଦିଆଯାଇଛି । ଇ-ପ୍ରିଜନ ଆପରେ କିପରି ଜେଲ ଫେରନ୍ତାଙ୍କ ରେକର୍ଡ ପାଇବେ, ଡିଜିଟାଲ ମୋଡ ଜରିଆରେ କିପରି ହାଜିର ଉପରେ ଧ୍ୟାନ ରଖିବେ, କେଉଁ ଅପରାଧି କୁଆଡେ ଯାଉଛନ୍ତି,କେଉଁ କାମରେ ନିୟୋଜିତ ହେଉଛନ୍ତି, ଅପରାଧିଙ୍କୁ ଥାନାରେ ହାଜିର ଜରିଆରେ ରେକର୍ଡ ମେଣ୍ଟେନ ସହ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ଉପରେ ନଜର ରଖିବାକୁ ଏନେଇ ତାଲିମ ଦିଆଯାଇଛି।
କାରଣ ଅନେକ ସମୟରେ ଜେଲରୁ ଫେରି ଅନେକ କ୍ରିମିନାଲ ସହରର ବିଭିନ୍ନ ଅପରାଧରେ ସାମିଲ ହେଉଛନ୍ତି । ଏପରିକି ଜେଲରୁ ଏକତ୍ରିତ ହୋଇ ବାହାରି ଅନେକଙ୍କ ହତ୍ୟା କରି ଚମ୍ପଟ ମାରୁଛନ୍ତି । ବିଗତ କିଛି ଦିନ ଧରି ସହରର ବଡବଡ ଅପରାଧରେ ଜେଲ ଫେରନ୍ତା ସାମିଲ ହେଉଥିବାରୁ ଏପରି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ତେବେ ଇତି ମଧ୍ୟରେ ସହରର ଅନେକ ଛୋଟ ବଡ କ୍ରାଇମ କରି ଅପରାଧର ଆତଙ୍କ ଖେଳାଇଛନ୍ତି ଅପରାଧି । ଇ ପ୍ରିଜନ ଆପ ଜରିଆରେ ଜେଲ ଫେରନ୍ତାଙ୍କ ଉପରେ ନଜର ରଖି ଉଚିତ ସମୟରେ ଉଚିତ ପଦକ୍ଷେପ ନେବାକୁ ପୋଲିସ ପ୍ରୟାସ କେତେ ଦୂର ସଫଳ ହେବେ ତା ଉପରେ ଏବେ ସମସ୍ତଙ୍କ ନଜର।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ