ଭୁବନେଶ୍ବର: ଓଡିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଅଲମ୍ପିକ୍ ଅଭ୍ୟାସ ପ୍ରସଙ୍ଗରେ ଗୁରୁବାର ସ୍ପଷ୍ଟୀକରଣ ରଖିଛି ଓଡିଶା ଯୁବ ଓ କ୍ରୀଡା ବ୍ୟାପାର ବିଭାଗ । ତେବେ ଏହି ସ୍ପଷ୍ଟିକରଣ ପରେ ଦୂତି ଦୁଃଖିତ ଥିବା କହିଛନ୍ତି । ‘ଇଟିଭି ଭାରତ‘ ସହ ଫୋନରେ କଥା ହୋଇ ଦୂତି କହିଛନ୍ତି , ଏହା ତାଙ୍କୁ ଦୁଃଖିତ ଓ ଲଜ୍ଜିତ କରିଛି ।
ଦୂତି କହିଛନ୍ତି, ‘‘ ରାଜ୍ୟରେ ଅନେକ କ୍ରୀଡ଼ାବିତ ଥିବାବେଳେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଅର୍ଥ ବ୍ୟୟ କରୁଛନ୍ତି । ତେବେ କଣ ପାଇଁ କେବଳ ମୋ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ବିଷୟରେ ସର୍ବସାଧାରଣରେ ପ୍ରକାଶ କଲେ ।’’ ତେବେ ସେ ଏହି ଅର୍ଥକୁ ନେଇ ନିଜର ବିଳାସ ପାଇଁ ବିନିଯୋଗ କରି ନଥିବା ବେଳେ ଏହା ବଦଳରେ ସେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିବା କହିଛନ୍ତି । ସେହିପରି ଦୂତି ରାଜ୍ୟ ସରକାର ଯେଉଁ ଚିଠା ପ୍ରକାଶ କରିଛନ୍ତି ସେଥିରେ ମଧ୍ୟ ଅସହମତି ପ୍ରକାଶ କରିଥିବାବେଳେ ଓଏମସି ପକ୍ଷରୁ ତାଙ୍କ ଟ୍ରେନିଂ ପାଇଁ ଦିଆଯାଇଥିବା ଅର୍ଥକୁ ନେଇ ପ୍ରଶ୍ନ କରିଛନ୍ତି । ଯାହା ସରକାର କହିଛନ୍ତି ସେହି ପରିମାଣର ଅର୍ଥ ତାଙ୍କୁ ମିଳି ନ ଥିବା ଆଉ ଚାକିରୀ ଆରମ୍ଭ ରୁ ସେ 85 ହଜାର ଟଙ୍କା ଦରମା ପାଉ ଥିବା ତାହା ମଧ୍ୟ ସତ ନୁହେଁ ବୋଲି ସେ କହିଛନ୍ତି । ଯାହା କି ସାଧାରଣ ଲୋକଙ୍କ ମନରେ ତାଙ୍କ ପ୍ରତି ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା ସେ କହିଛନ୍ତି ।
ତେଣୁ ସରକାର ତାଙ୍କୁ ଏପର୍ଯ୍ୟନ୍ତ ଯେତିକି ଟଙ୍କା ଦେଇଛନ୍ତି ତାହାର ସମ୍ପୂର୍ଣ୍ଣ ହିସାବ ସହ ଅନ୍ୟ କ୍ରୀଡା ସହ କ୍ରୀଡ଼ାବିତଙ୍କ ପାଇଁ କେଉଁ କେଉଁ ଦିଗରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ମଧ୍ୟ ହିସାବ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । କାରଣ ସରକାର ଏପରି ଭାବେ ତାଙ୍କ ପାଇଁ ଖର୍ଚ୍ଚର ଘୋଷଣା କରି ତାଙ୍କୁ ଅନ୍ୟମାନଙ୍କ ନିକଟରେ ନୀଚ ଦେଖାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିବା ସହ ଏହା ତାଙ୍କୁ ତାଙ୍କ ପରିବାର ଓ ରାଜ୍ୟ ପାଇଁ ଅପମାନିତ କରିଛି ବୋଲି କହିଛନ୍ତି ।
ସୂଚନାଥାଉ କି, ଆଜି (ଗୁରୁବାର) ଦୂତିଙ୍କ ମିଳିଥିବା ଅର୍ଥ ଉପରେ ସ୍ପଷ୍ଟୀକରଣ ରଖିଛି ଓଡିଶା ଯୁବ ଓ କ୍ରୀଡା ବ୍ୟାପାର ବିଭାଗ । ଗତ 2015 ମସିହାରୁ ଦୂତିଙ୍କୁ ସରକାରଙ୍କ ତରଫରୁ ଭିନ୍ନ ଭିନ୍ନ ଆକାରରେ 4.9 କୋଟି ଟଙ୍କା ଦିଆଯାଇ ସାରିଛି ବୋଲି କ୍ରୀଡା ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ