ଭୁବନେଶ୍ବର: ଆଦିବାସୀଙ୍କ ବିକାଶ ହେଲେ ଦେଶ ଓ ଓଡ଼ିଶାର ବିକାଶ ସମ୍ଭବ । ଏଥିପାଇଁ ଆଜି ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି ବିଶ୍ବ ଆଦିବାସୀ ଦିବସ । ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।
ବିଶ୍ବ ଆଦିବାସୀ ଦିବସ କାର୍ଯ୍ୟକ୍ରମକୁ ବିଜେଡି ପକ୍ଷରୁ ଦଳୀୟ ଭାବେ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମକୁ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି । ବିଭିନ୍ନ ଜିଲ୍ଲାରୁ ଆସିଥିବା ଜନଜାତି ମହିଳା ଓ ପୁରୁଷ ମାନେ ପାରମ୍ପରିକ ବେଶଭୂଷାରେ ନାଚ ଗୀତ ପରିବେଷଣ କରିଛନ୍ତି । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯାଉଛି ।
ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବେ ବିଜେଡି ନେତା । ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । କିଛି ବର୍ଷ ହେଲା ଆଦିବାସୀଙ୍କ ଲାଗି କାର୍ଯ୍ୟକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀ ସୁଯୋଗ ଦେଉଛନ୍ତି । ଗତବର୍ଷ ପାଳନ ହୋଇଥିଲା । ତା ପୂର୍ବରୁ ୨ବର୍ଷ କୋଭିଡ଼ ଲାଗି ବନ୍ଦ ଥିଲା । ଏହାପୂର୍ବରୁ ଆଦିବାସୀ ପଡ଼ିଆରେ ହୋଇଥିଲା, ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।
ଓଡ଼ିଶାରେ ବସବାସ କରୁଥିବା ୬୨ପ୍ରକାର ଜନଜାତିଙ୍କ ମଧ୍ୟରୁ ୫୩ପ୍ରଜାତି ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଛନ୍ତି । ତେଣୁ ବିକାଶର ମୁଖ୍ୟସ୍ରୋତରେ ସାମିଲ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ବଣ୍ଡା ଓ ଦିଦାୟୀ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର