ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ବଢ଼ୁଥିବା କୋଭିଡ ସଂକ୍ରମଣକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ।
ନୂଆପଡା ଓ କଳାହାଣ୍ଡି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଛତିଶଗଡ଼ରେ ହୋଇଥିବା କ୍ରିକେଟ ଖେଳ ସଂକ୍ରମଣକୁ ଅଧିକ ବଢାଇଛି । ଉଭୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଣ୍ଟିଜେନ ଟେଷ୍ଟିଂ କରିବାକୁ କୁହାଯାଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସୀମା ସିଲ କରିବା ସମସ୍ୟାର ସମାଧାନ ନୁହେଁ ବରଂ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ଆମର ପ୍ରାଥମିକତା ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଅଞ୍ଚଳରେ ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଉଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ