ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ମୋଦି ସରକାର ଓବିସି (OBC) ସ୍ୱାର୍ଥର ପରିପନ୍ଥୀ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମଳଳୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି, ବିଳମ୍ବିତ ନ୍ୟାୟ ହେଉଛି ବିଡ଼ମ୍ବିତ ନ୍ୟାୟ । କେନ୍ଦ୍ର ସରକାର ଦେଶ ଜନସଂଖ୍ୟାର ଅର୍ଦ୍ଧେକ ଓବିସି ବର୍ଗ ପ୍ରତି ଧାରାବାହିକ ଭାବେ ଅବହେଳା ପ୍ରଦର୍ଶନ କରି ଚାଲିଛି । ସେ କରିଛନ୍ତି ଯେ, ସଂସଦରେ ସଦ୍ୟ ପାରିତ ୧୨୭ ତମ ସଂଶୋଧନ ବିଲ କେନ୍ଦ୍ର ସରକାରଙ୍କ ତୃଟିର ସଂଶୋଧନ ମାତ୍ର । ଏଥିରେ ଓବିସି ସ୍ୱାର୍ଥ ରକ୍ଷା କ୍ଷେତ୍ରରେ କୌଣସି ନୂଆ ପ୍ରାବଧାନ ନାହିଁ ।
୧୦୨ ତମ ସମ୍ବିଧାନ ସଂଶୋଧନ କରି ରାଜ୍ୟମାନଙ୍କର କ୍ଷମତା ଅପହରଣ ଜନିତ ଯେଉଁ ପାପ କରିଥିଲେ ଏହା ତାହାର ପ୍ରାୟଶ୍ଚିତ ମାତ୍ର । ଅନୁରୂପ ଭାବେ ଜୁଲାଇ ୨୬ ରେ ଓବିସି ଓ ଇବିସି ମାନଙ୍କ ପାଇଁ ଯେଉଁ ୨୭ ଭାଗ ଓ ୧୦ ଭାଗ ମେଡିକାଲ କଲେଜ ନାମଲେଖା କ୍ଷେତ୍ରରେ ଉଦ୍ଦିଷ୍ଟ ସର୍ବ ଭାରତୀୟ କୋଟାରେ ସଂରକ୍ଷଣ ଘୋଷଣା କଲେ ତାହା କେବଳ କୋର୍ଟ ଭୟରେ । ଏକ ସପ୍ତାହ ମଧ୍ୟରେ ଏହା ସଂରକ୍ଷଣ କରି ନାମଲେଖା ପ୍ରକ୍ରିୟା ଆରମ୍ଭ ନକଲେ କୋର୍ଟ ଅବମାନନା ଅପରାଧରେ ଦଣ୍ଡିତ କରାଯିବାର ମାଡ୍ରାସ ଉଚ୍ଚ ନ୍ୟାୟଳୟ ଯେଉଁ ଧମକ ଦେଲେ ସେଥିରେ ସରକାର ମୁଣ୍ଡ ନୁଆଁଇଲେ ।
ଓବିସି ପ୍ରତି ଦରଦି ମନୋଭାବ ନୁହେଁ ବରଂ ଓବିସି ସ୍ୱାର୍ଥ ବିରୋଧି ଆଭିମୁଖ୍ୟର ପରିଚାୟକ । ପ୍ରଧାନମନ୍ତ୍ରୀ ଗତ ଜୁଲାଇ ୩, ୨୦୨୦ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଇଥିବା ଚିଠି ପ୍ରତି ଉଚିତ ଧ୍ୟାନ ଦେଇଥାନ୍ତେ ତେବେ କୋର୍ଟର ଧମକରୁ ବଞ୍ଚିତ ହୋଇଥାନ୍ତେ ଓ ଓବିସି ବର୍ଗର ଛାତ୍ରଛାତ୍ରୀ ମାନେ ମେଡିକାଲ କୋର୍ସ ପଢ଼ି ଉପକୃତ ହୋଇଥାନ୍ତେ । ଉପରୋକ୍ତ ଦୁଇଟି ଉଦାହରଣ ଓବିସି ପ୍ରତି ସରକାରୀ ଉଦାସୀନତାର ପ୍ରମାଣ ଦେଉଛି ।
ବେହେରା ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାର ଅକ୍ଟୋବର ୨, ୨୦୧୭ ରେ ଅବସରପ୍ରାପ୍ତ ବିଚାରପତି ରୋହିନି କମିଶନ ବସାଇ ମାର୍ଚ୍ଚ ୨୦୧୮ ରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କମିଶନଙ୍କ ସୁପାରିଶ ଆଧାରରେ ପଛୁଆବର୍ଗ ପାଇଁ ଅଧିକ ସାମାଜିକ ଓ ଅର୍ଥନୈତିକ ବିକାଶର ସୁଯୋଗ ହୋଇପାରନ୍ତା ବୋଲି ସୂଚନା ଦେଇଥିଲେ । ମାତ୍ର ଇତି ମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ିଚାଲିଛି ଓ ଜୁଲାଇ ମାସରେ ଏହାକୁ ଆସନ୍ତା ଜାନୁଆରୀ ୩୧, ୨୦୨୨ କୁ ବୃଦ୍ଧି କରାଯାଇଛି । ଏହା କେବଳ ବିଳମ୍ବିତ ନ୍ୟାୟର ସୂଚନା ଦେଇଛି ।
ସୁତରାଂ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଜାଣିବାକୁ ଚାହୁଁଛି...
- ସୁପ୍ରିକୋର୍ଟ ଲାଗୁ କରିଥିବା ସଂରକ୍ଷଣ ସର୍ବାଧିକ ସୀମା ୫୦ ପ୍ରତିଶତର ଅଂକୁଶ ଉଠାଇବା ନିମେନ୍ତ କେବେ ଆଇନ ଆଣିବ?
- ୫୦ ପ୍ରତିଶତ ଅଂକୁଶ ହଟାଇବା ଆଇନ ଆଣିବା ପର୍ଯ୍ୟନ୍ତ ସମସ୍ତ ସଂରକ୍ଷଣ ସଂବଧିତ ଆଇନ ଗୁଡ଼ିକ ନବମ ଅନୁଛେଦରେ ଅର୍ନ୍ତଭୁକ୍ତ କରିବ କି?
- ଜାତି ଗଣନା ବିଶେଷ କରି ପଛୁଆବର୍ଗର ଜାତି ଗଣନା କେବେ କରିବେ?
ଯଦି କଂଗ୍ରେସ ପ୍ରଶ୍ନର ଜବାବ ଦେବାକୁ କେନ୍ଦ୍ର ସରକାର ପଛଘୁଞ୍ଚା ଦିଅନ୍ତି ତେବେ କେବଳ ପଛୁଆବର୍ଗ ନୁହେଁ ଇତିହାସ ଆପଣଙ୍କୁ କ୍ଷମା ଦେବ ନାହିଁ ବୋଲି ଗଣେଶ ବେହେରା ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ