ଭୁବନେଶ୍ବର: ପିପିଲି ଉପନିର୍ବଚନ ଘୁଞ୍ଚାଇବା ପାଇଁ ଦାବି କଲା କଂଗ୍ରେସ। କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ କରି କହିଛନ୍ତି ଯେ, ଆମେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛୁ ହେଲେ ଲୋକଙ୍କ ଜୀବନକୁ ବାଜି ଲଗାଇ ନୁହେଁ । ରାଜ୍ୟରେ କୋରୋନା ସ୍ଥିତି ଉପରମୁହାଁ ଥିଲାବେଳେ ଏହି ସମୟରେ ନିର୍ବାଚନ ଲଢ଼ିବା କେତେଦୂର ଉଚିତ ।
ଏହାସହ ପିପିଲି ଡେଲାଙ୍ଗ ଉପନିର୍ବଚନ ଘୁଞ୍ଚାଇବା ପାଇଁ ଆମେ ବିଜେଡି ଓ ବିଜେପି ଆଉ ନିର୍ବାଚନ କମିଶନଙ୍କୁ ଅନୁରୋଧ କରୁଛୁ। ଆମେ ଆମର ଜଣେ ପ୍ରାଥୀଙ୍କୁ କୋରୋନାରେ ହରେଇ ସାରିଛୁ , ଆମ ଭିତରେ କୋରୋନାକୁ ନେଇ ଡର ଅଛି । ପିପିଲି ଡେଲାଙ୍ଗରେ ଲୋକଙ୍କ ପାଖକୁ ଗଲେ ସେମାନେ ଘର ତାଟି ପକେଇ ଦେଉଛନ୍ତି, ନେତାଙ୍କୁ ଘର ଭିତରକୁ ପୁରେଇ ଦେଉନାହାନ୍ତି ।ଆମେ ନିର୍ବାଚନ ପ୍ରଚାର କରିବୁ କେମିତି ? ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ତେଣୁ ଏହି ଉପନିର୍ବାଚନରେ ସରକାର ବଦଳି ଯିବନି, ତେଣୁ ସମସ୍ତେ ଭୋଟ ଅପେକ୍ଷା ଲୋକଙ୍କ ଜୀବନ କଥା ଆଗ ଭାବନ୍ତୁ । ପଶ୍ଚିମବଙ୍ଗ ଭଳି ପରିସ୍ଥିତି ପିପିଲି ଡେଲାଙ୍ଗରେ ଯେବଳି ନହେଉ, ଆଜି ଆମେ ନିର୍ବାଚନ କମିଶନରଙ୍କୁ ଭେଟି ଲିଖିତ ଭାବେ ଉପନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିବୁ ବୋଲି କହିଛନ୍ତି ପ୍ରଦୀପ ମାଝୀ ।
ସୂଚନା ଅନୁସାରେ, ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନାରେ ମୃତ୍ୟୁ ପରେ ଗତକାଲି(ସୋମବାର) ପିପିଲି ଉପନିର୍ବାଚନରେ କଂଗ୍ରେସ ନିଜର ନୂଆ ପ୍ରାର୍ଥୀ ଭାବେ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ନିଜର ପ୍ରାର୍ଥୀ କରି ନାମାଙ୍କନ ପତ୍ର ଭରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ