ଭୁବନେଶ୍ବର: ରାଜଧାନୀରେ କୋକେନ ଜବତ ଘଟଣା(cocaine seized in bhubaneswar) । ଏହି ମାମଲାରେ ସାମ୍ନାକୁ ଆସିଲା ବିଦେଶ ଲିଙ୍କ୍ । କୋକେନ ମିଳିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଏସଟିଏଫ ପଚରାଉଚରା କରିବା ପରେ ସେମାନେ ସତ ଓଗାଳିଛନ୍ତି । ଅଭିଯୁକ୍ତଙ୍କ ମୋବାଇଲରୁ ବିଦେଶ ଲିଙ୍କ୍ ମିଳିଛି । ସେମାନେ ଚୀନ, ସ୍ବିଜରଲ୍ୟାଣ୍ଡ, ଫ୍ରାନ୍ସ, ଥାଇଲାଣ୍ଡ ଓ ଆମେରିକାର କୋକେନ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ ।
ଦୁଇ ଅଭିଯୁକ୍ତ ବିଦେଶୀ ଚାଲାଣକାରୀଙ୍କ ସହ ନିୟମିତ ଯୋଗଯୋଗରେ ରହି ଆଗାମୀ ହକି ବିଶ୍ବ କପ୍ ସମୟରେ କୋକେନ ଯୋଗାଣ ପାଇଁ ନେଟୱାର୍କ ତିଆରି କରୁଥିଲେ । ଡ୍ରଗ ନେଟୱର୍କ ବଢାଇବାକୁ ଧିରେ ଧିରେ ବିଭିନ୍ନ ଗ୍ରୁପ ଜରିଆରେ ସପ୍ଲାଏ ଚେନ ବୃଦ୍ଧି କରୁଥିଲେ । ଏପରିକି ପୁରୀକୁ ମଧ୍ୟ କୋକେନ ଚାଲାଣର ଚେର ଲମ୍ବାଇଥିଲେ । ଅଭିଯୁକ୍ତମାନେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋକେନ ବିକ୍ରି କରିଥିବା ସନ୍ଦେହ କରାଯାଉଛି ।
ବର୍ତ୍ତମାନ ପୁରୀ ଲିଙ୍କ ସାମ୍ନାକୁ ଆସିବା ପରେ ସେ ଦିଗରେ ମଧ୍ୟ ଏସଟିଏଫ୍ ଖୋଳତାଡ କରୁଛି । ଏଥିସହ NCB ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିଛି । ବର୍ତ୍ତମାନ କିଛି ତଥ୍ୟ ସଂଗ୍ରହ ହୋଇଛି । ଏସଟିଏଫ୍ ବିଦେଶୀ କାରବାର ଏବଂ ଅନ୍ୟାନ୍ୟ ଦିଗକୁ ନେଇ ଯାଞ୍ଚ ଚଳାଉଛି ।
ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ