ଭୁବନେଶ୍ବର: କୋଇଲା ଖଣି ନିଲାମ ପ୍ରକୃତି ଓ ସଂଘୀୟ ବ୍ୟବସ୍ଥା ବିରୋଧୀ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ । କେନ୍ଦ୍ର ସରକାର ତୁରନ୍ତ ଖଣି ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ,ରାଜ୍ୟ ସରକାର ଏହାର ବିରୋଧରେ ରାଜ୍ୟ କ୍ଷମତାର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ବର ଲୋହିଆ ଏକାଡେମୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଲୋକଶକ୍ତି ଅଭିଯାନ ।
କୋରୋନା ମହାମାରୀ ସମୟରେ କଟକଣା ବଳବତ୍ତର ଥିବାବେଳେ ପ୍ରଧାନମନ୍ତ୍ରୀ ଜଳବାୟୁ ନୀତି, ଆଦିବାସୀ ଅଞ୍ଚଳର ଗ୍ରାମସଭା ଓ ସୀମିତ ପ୍ରାକୃତିକ ସମ୍ପଦର ସରଂକ୍ଷଣକୁ ହେୟ କରିଛନ୍ତି । ଦେଶରେ ରାଷ୍ଟ୍ରୀୟ ସମ୍ପଦ ରୂପେ ଗଛିତ ଥିବା ୪୧ ଗୋଟି କୋଇଲା ଖଣିକୁ ଦେଶୀ ବିଦେଶୀ ମାନଙ୍କର ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଧେଶ୍ୟରେ ନିଲାମ ଘୋଷଣା ସମ୍ପୂର୍ଣ ଅଗଣତାନ୍ତ୍ରିକ । ଏହା ସମ୍ପୂର୍ଣ୍ଣ ଭାବରେ ଜନ ବିରୋଧୀ ଓ ରାଜ୍ୟ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ନୁହେଁ ବୋଲି କହିଛନ୍ତି । ଏହା ଦ୍ବାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶର କ୍ଷତି ହେବ ।
ଦେଶରେ କୋଇଲା ଖଣି ନିଲାମ ଦ୍ବାରା ଲକ୍ଷାଧିକ ପରିବାର ବିସ୍ଥାପିତ ହେବା ସହ ୧୦ ଲକ୍ଷ ବ୍ୟକ୍ତି ନିଜର ଜୀବିକା ହରାଇବେ । ରାଜ୍ୟରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକାଶକ୍ତି ଅଭିଯାନ ପକ୍ଷରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସଭାପତି ପ୍ରଫୁଲ ସାମନ୍ତରାୟ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ